ସିଲ୍‌ ହେଲା ବସ୍ତା ହସ୍ପିଟାଲ

ବସ୍ତା,୨୧।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମର୍ଦା ପଞ୍ଚାୟତର ଜଣେ ବ୍ୟକ୍ତି କରୋନ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୋମବାର ସନ୍ଧ୍ୟାରେ ସେ ଚିକିତ୍ସିତ ହୋଇ ଘରକୁ ଫେରୁଥିଲେ। ପୁନର୍ବାର ରାସ୍ତାରେ ଅସୁସ୍ଥ ହେବା ଯୋଗୁ ତାଙ୍କୁ ସ୍ଥାନୀୟ ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ବସ୍ତା ତହସିଲଦାର ପହଞ୍ଚି ଡାକ୍ତରଖାନାରୁ ମୃତଦେହ ତୁରନ୍ତ ଉଠାଇବା ସହ ହସ୍ପିଟାଲ ସିଲ୍‌ କରିବାକୁ କହିଥିଲେ। ପରେ ସାନିଟାଇଜ୍‌ କରିବାକୁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ସକାଳେ ଡାକ୍ତରଖାନାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ସାନିଟାଇଜ୍‌ ପରେ ହସ୍ପିଟାଲ ଖୋଲାଯିବ ବୋଲି ଜଣାପଡ଼ିଛି।