ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ମୌଳିକ ସ୍ବାସ୍ଥ୍ୟସେବା

ଭାପୁର,୨୫।୬(ଭରତ କୁମାର ବେହେରା)ନୟାଗଡ଼ ଜିଲାର ପ୍ରଥମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିବା ଭାପୁର ଡାକ୍ତରଖାନାରେ ମୌଳିକ ସ୍ବାସ୍ଥ୍ୟସେବା ମିଳୁନି ା ଏହି ଡାକ୍ତରଖାନା ଉପରେ ଭାପୁର ବ୍ଲକର ୨୦ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରନ୍ତି। ତେବେ ଅତୀତରେ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଡାକ୍ତରଖାନା ସୁନାମ ଅର୍ଜନ କରିଥିଲା। ହେଲେ ଏବେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୌଳିକ ସେବା ମିଳୁ ନ ଥିବା ନେଇ ଜନପ୍ରତିନିଧି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସମୟରେ ଆସୁଥିବା ରୋଗୀ, ସମ୍ପର୍କୀୟ ତଥା ରାଜନେତାଙ୍କୁ ଠିକ ଢଙ୍ଗରେ ବ୍ୟବହାର ପ୍ରଦର୍ଶନ କରା ନ ଯାଇ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଯେକୌଣସି ସାଧାରଣ ରୋଗୀ ଆସିଲେ ତାଙ୍କୁ ଯେଉଁ ସୁବିଧା ସୁଯୋଗ ମିଳିବା କଥା ତାଙ୍କୁ ସେଠାରେ ନ ଦେଇ ଅନ୍ୟ ମେଡିକାଲକୁ ରେଫର କରାଯାଉଛି। ନୟାଗଡ଼, ଖୋର୍ଦ୍ଧା, ଭୁବନେଶ୍ବର ରେଫର ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଖର୍ଚ୍ଚାନ୍ତ ହେବା ସହ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇ ହନ୍ତସନ୍ତ ହେଉଛନ୍ତି। ଅଧିକାଂଶ ରୋଗୀଙ୍କୁ ମେଡିକାଲର ଫାର୍ମାସିଷ୍ଟ ଦେଖି ଔଷଧ ଲେଖୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏନେଇ ରୋଗୀ କଲ୍ୟାଣ ସମିତି ବୈଠକରେ ବିଧାୟକଙ୍କ ପ୍ରତିନିଧି ତଥା ଭାପୁର ବ୍ଲକ ବିଜୁ ଜନତା ଦଳର ସଭାପତି ଜିତେନ୍ଦ୍ର କୁମାର ରଣସିଂହ ଅଭିଯୋଗ କରିଥିଲେ। ସେହିପରି ଭାପୁର ବ୍ଲକରେ ପ୍ରାକୃତିକ ବିପର୍ଯ୍ୟୟ ବୈଠକ ଓ ପଞ୍ଚାୟତ ସମିତି ବୈଠକରେ ରାକମା ସମିତି ସଭ୍ୟ ବାଳ ଗୋପାଳ ଷଡ଼ଙ୍ଗୀ ସେପରି ଅଭିଯୋଗ କରିଥିଲେ। ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ବିଶ୍ୱନାଥ ସାହୁ ଏହା ଉପରେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ବର୍ଷାଦିନ ଆସୁଥିବାରୁ ମେଡିକାଲରେ ସାପ କାମୁଡ଼ା, କୁକୁର କାମୁଡ଼ା ବିଭିନ୍ନ ଔଷଧ ଗଛିତ ରଖିବାକୁ ଜନପ୍ରତିନିଧିମାନେ କହିଥିଲେ। ଏହି ସମସ୍ୟାର ଯଦି ସମାଧାନ ନ ହୁଏ ତେବେ ଆନ୍ଦୋଳନପନ୍ଥା ଗ୍ରହଣ କରାଯିବ ବୋଲି ଜନପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ା