ଧନୀ ରାଷ୍ଟ୍ରଙ୍କୁ ଦୋମୁହାଁ କହିଲେ ବେସିକ୍‌ ଗ୍ରୁପ୍‌

ନୂଆଦିଲ୍ଲୀ,୧୭।୧୧(ପି.ଟି.): ଇଜିପ୍ଟରେ ଚାଲିଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମିଟ୍‌ (କୋପ୍‌୨୭)ରେ ଭାରତ, ଚାଇନା, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ସଂଗଠନ (ବେସିକ୍‌ ଗ୍ରୁପ୍‌) ଧନୀ ରାଷ୍ଟ୍ରଗୁଡ଼ିକୁ ଦୋମୁହାଁ ବୋଲି ଅଭିହିତ କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଇଦେବା ଲାଗି ଧନୀ ରାଷ୍ଟ୍ରଗୁଡ଼ିକ ପ୍ରତିଶ୍ରୁତି ଦେଇ ପଛଘୁଞ୍ଚା ଦେଇଛନ୍ତି।

ଅନ୍ୟପକ୍ଷରେ ସେମାନେ ଜୀବାଶ୍ମ ଇନ୍ଧନ ଉତ୍ପାଦନ ଓ ବ୍ୟବହାର ବଢ଼ାଇ ଚାଲିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ନେତୃତ୍ୱ ନେବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି କିମ୍ବା ଜଳବାୟୁ ପରିବର୍ତ୍ତନ ଦିଗରେ ଉଦ୍ୟମ ମଧ୍ୟ କରୁନାହାନ୍ତି। ଗତ କିଛି ବର୍ଷରେ ବିକଶିତ ରାଷ୍ଟ୍ରଗୁଡ଼ିକର ଜୀବାଶ୍ମ ଇନ୍ଧନ ଉତ୍ପାଦନ ଓ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ତେବେ ସେମାନେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଏଥିରୁ ଦୂରେଇ ରହିବାକୁ ଚାପ ପକାଉଛନ୍ତି। ଜଳବାୟୁ ପରିବର୍ତ୍ତନରେ ସମସ୍ତେ ସମାନ ଭାଗୀଦାରି ହେବା ଦିଗରେ ଧନୀ ରାଷ୍ଟ୍ରଗୁଡ଼ିକର ଡବଲ୍‌ ଷ୍ଟାଣ୍ଡାର୍ଡ ଗ୍ରହଣୀୟ ନୁହେଁ ବୋଲି ବେସିକ ରାଷ୍ଟ୍ରଗୋଷ୍ଠୀ କହିଛନ୍ତି।

ପରିବର୍ତ୍ତନ ବିରୋଧୀ ଲଢ଼େଇରେ କୌଣସି ସେକ୍ଟର କିମ୍ବା ଇନ୍ଧନ ଉତ୍ସ ବାଦ୍‌ ପଡ଼ିବା ଉଚିତ ନୁହେଁ ବୋଲି ଭାରତର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କୋପ୍‌୨୭ରେ ଉଦ୍‌ବୋଧନ ଦେଇ କହିଛନ୍ତି। ସମସ୍ତ ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ବ୍ୟବହାରରୁ ବାଦ୍‌ ଦେବା ଲାଗି ଗତ ଶନିବାର ଭାରତ ଦେଇଥିବା ପ୍ରସ୍ତାବକୁ ୟୁରୋପୀୟ ସଂଗଠନ ସମର୍ଥନ କରିଥିଲା। ପୂର୍ଣ୍ଣ କାର୍ବନ ବଜେଟରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଉପଯୁକ୍ତ ଭାଗ ଯୋଗାଇଦିଆଯିବା ଆବଶ୍ୟକ।

ବିକଶିତ ରାଷ୍ଟ୍ରଗୁଡ଼ିକର କାର୍ବନ ଋଣର ମୁଦ୍ରୀକରଣ ଦ୍ୱାରା ତାହା କରାଯାଇପାରିବ ବୋଲି ଭାରତର ପରିବେଶ ମନ୍ତ୍ରୀ କହିଛନ୍ତି। ବିଶ୍ୱର ପଞ୍ଚମ ସର୍ବାଧିକ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ ନିର୍ଗମନକାରୀ ଇଣ୍ଡୋନେସିଆରେ କୋଇଲା ବ୍ୟବହାର ବନ୍ଦ କରି ନବୀକରଣଯୋଗ୍ୟ ଇନ୍ଧନ ସେକ୍ଟର ବଢ଼ାଇବା ଲାଗି ସହାୟତା ନିମନ୍ତେ ଆମେରିକା, ଜାପାନ ଓ ଅନ୍ୟ ଦେଶଗୁଡ଼ିକ ୨୦ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିବାକୁ ପ୍ରତିଶ୍ରୁତି ଦେଇଥିବାବେଳେ ଭୂପେନ୍ଦ୍ର ଯାଦବ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

Share