Categories: ଜାତୀୟ

କର୍ନାଟକରେ ଭାଜପା ହରିବା ନେଇ ନିଜକୁ ଦାୟୀ କଲେ ବୋମ୍ମାଇ

ବେଙ୍ଗାଲୁରୁ,୧୭।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ହୋଇଛି। ଯାହା ପରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ମନ୍ଥନ ଚାଲିଛି। ଏହି ସମୟରେ ଭାଜପା ହାରିବାର କାରଣ ଦର୍ଶାଇ ନିଜକୁ ଦାୟୀ ବୋଲି କହିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ। ସେ କହିଛନ୍ତି କଂଗ୍ରେସ ଏହାର ପ୍ରଚାର ଅଭିଯାନ ଶୀଘ୍ର ଆରମ୍ଭ କରିଦେଇଥିଲା। ସାଧାରଣ ଜନତା ମାଗଣା ଉପହାର ପଛରେ ପଡିଗଲେ। ବ୍ୟକ୍ତିଗତ ଭାବେ ମୁଁ ଅନୁଭବ କରୁଛି ଯେ କଂଗ୍ରେସ ଅଧିକ ସଂଗଠିତ ହୋଇଛି। ଭାଜପା ପୁର୍ବରୁ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲା। ଭାଜପା ସରକାର ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ମଧ୍ୟ ସଠିକ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିପାରିଲା ନାହିଁ।

ବୋମ୍ମାଇ କହିଛନ୍ତି, ଜେଡିଏସର ପାଞ୍ଚ ପ୍ରତିଶତ ଭୋଟ କଂଗ୍ରେସ ଆଡକୁ ଯାଇଛି। ୨୦୧୮ଠାରୁ ଭାଜପା ନିଜର ୩୬ ପ୍ରତିଶତ ଭୋଟ ଅଂଶ ବଜାୟ ରଖିଛି, କିନ୍ତୁ କଂଗ୍ରେସର ଭୋଟ ଅଂଶ ୩୮.୧ ପ୍ରତିଶତରୁ ୪୨.୯ ପ୍ରତିଶତକୁ ବୃଦ୍ଧି ପାଇଛି। ଜେଡିଏସଙ୍କ ଭୋଟ ଅଂଶ ୧୮.୩ ରୁ ୧୩.୩ ପ୍ରତିଶତକୁ ଖସି ଆସିଛି। ଭାଜପାର ଉନ୍ନତି ପାଇଁ କିଛି ମାସ ଲାଗିବ ବୋଲି ବୋମ୍ମାଇ କହିଛନ୍ତି। ବଡ କଥା ହେଉଛି ଆମକୁ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପଡିବ।

Share