ତୁଟିଲା ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମି ବିବାଦ

ତିହିଡ଼ି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୌଲତପୁର ପଞ୍ଚାୟତର ପୀରହାଟ ବଜାରରେ ଥିବା ମା’ ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମିକୁ ନେଇ ଲାଗି ରହିଥିବା ବିବାଦ ତୁଟିଛି। ଏହି ଜମି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରହିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟ ପରେ ପୂଜା କମିଟି ସଦସ୍ୟଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଯେ, ତିହିଡ଼ି ତହସିଲ ଅଧୀନ ମାଲପୁର ମୌଜାର ଖାତା ନଂ. ୩୨୩ ଏବଂ ପ୍ଲଟ ନଂ. ୪୮୮/୧୧୬୮ରେ ୧୨ ଡେସିମିଲ ଜମି ରହିଛି। ଉକ୍ତ ଜାଗାରେ ୧୯୪୮ଠାରୁ ମା’ ବାସନ୍ତୀ ଦୁର୍ଗାଙ୍କ ବାର୍ଷିକ ପୂଜାବିଧି ସହ ଯଜ୍ଞାଦି କାର୍ଯ୍ୟ ଅନୁଷ୍ଠିତ ହୋଇଆସୁଛି। ତେବେ ଭଦ୍ରକର ଜଣେ ବ୍ୟକ୍ତି ଚଞ୍ଚକତା ପୂର୍ବକ ଉକ୍ତ ଜମିକୁ ମାଲପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ପୂଜା କମିଟିର କର୍ମକର୍ତ୍ତା ଆଇନର ଆଶ୍ରୟ ନେଇଥିଲେ। ଭଦ୍ରକର ମୁନସବ ଓ ଜଜ୍‌କୋର୍ଟରେ ଏହାର ବିଚାର ହୋଇଥିଲେ ମଧ୍ୟ ରାୟ ଜମି କ୍ରେତାଙ୍କ ସପକ୍ଷରେ ଯାଇଥିଲା। ପରେ କମିଟି କର୍ମକର୍ତ୍ତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟରେ ଏହି ମକଦ୍ଦମା (ନଂ. ଆର୍‌ଏସ୍‌ଏ ୨୪୪/୨୦୧୪ ) କିଛିବର୍ଷ ଚାଲିବା ପରେ ହାଇକୋର୍ଟ ନିମ୍ନ କୋର୍ଟ ରାୟକୁ ରଦ୍ଦ କରିବା ସହ ଉକ୍ତ ଜମି ପୂର୍ବପରି ସର୍ବସାଧାରଣଙ୍କ ଯଜ୍ଞକୁଣ୍ଡ ରୂପେ ବ୍ୟବହାର ହେବ ବୋଲି ନିକଟରେ ରାୟ ପ୍ରଦାନ କରିଛନ୍ତି। ଏହି ପରିପ୍ରକ୍ଷୀରେ ମା’ଙ୍କ ପୀଠରେ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି କମିଟି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।