ପୁରୀ ଜିଲାର ୪ ଶିକ୍ଷକଙ୍କୁ ବସନ୍ତ ବିଶ୍ୱାଳ ପୁରସ୍କାର

ପୁରୀ ଅଫିସ, ୯ା୯: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ପୂର୍ବତନ ରାଜ୍ୟ ସଭାପତି ସ୍ବର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ସ୍ମୃତିରେ ବସନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାନସଭା ସଚିବ ଦାଶରଥି ଶତପଥୀ ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ଷ୍ଟେଟ୍‌ ଭାରତ ସ୍କାଉଟ୍‌ ଓ ଗାଇଡ୍ସର ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି କାଳୀପ୍ରସାଦ ମିଶ୍ର ଯୋଗଦେଇଥିଲେ। ବିଭିନ୍ନ ଜିଲାରୁ ମନୋନୀତ ହୋଇଆସିଥିବା ସ୍କାଉଟ୍‌ ମାଷ୍ଟର, କବ ମାଷ୍ଟର, ଗାଇଡ୍‌ କ୍ୟାପଟେନ ଓ ଫ୍ଲକ୍‌ ଲିଡରଙ୍କୁ ବସନ୍ତ କୁମାର ବିଶ୍ୱାଳ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ପୁରୀ ଶ୍ୱେତଗଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାଶ, ପିପିଲି ସରସ୍ବତୀ ଶିଶୁ ମନ୍ଦିରର ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଜେମା, ଅସ୍ତରଙ୍ଗ ବାଲିଦୋକାନସ୍ଥିତ ବଟେଶ୍ୱର ନୋଡାଲ ହାଇସ୍କୁଲ୍‌ର ଶିକ୍ଷକ ରାଜକିଶୋର ସେନାପତି ଓ ସିରେଇ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜିତେନ୍ଦ୍ର କୁମାର ପେଣ୍ଠୋଇ ଏହି ସମ୍ମାନ ଗ୍ରହଣ କରିଛନ୍ତି।