Categories: ଖେଳ

ବାର୍ଟି-ପ୍ଲିସ୍‌କୋଭା ଫାଇନାଲ

ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ଭେଟିବେ। ଗୁରୁବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବାର୍ଟି ଜର୍ମାନୀର ଆଞ୍ଜେଲିକ୍‌ କର୍ବରଙ୍କୁ ୬-୩, ୭-୬(୭/୩) ସେଟ୍‌ରେ ପରାସ୍ତ କରିଛନ୍ତି। ବାର୍ଟି ପ୍ରଥମ ସେଟ୍‌ରେ ସହଜ ବିଜୟ ହାସଲ କରିଥିଲେ ହେଁ କର୍ବର ଦ୍ୱିତୀୟ ସେଟ୍‌ରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ତେବେ ଶେଷରେ ଭାଗ୍ୟ ବାର୍ଟିଙ୍କୁ ସାଥ୍‌ ଦେଇଥିଲା। ୨୦୧୯ରେ ଫ୍ରେଞ୍ଚ୍‌ ଓପନ ଚାମ୍ପିୟନ ବାର୍ଟି ପ୍ରଥମଥର ପାଇଁ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ କାର୍ଲା ସୁଆରେଜ ନାଭାରୋ, ଦ୍ୱିତୀୟ ରାଉଣ୍ଡରେ ଆନା ବ୍ଲିଙ୍କୋଭା, ତୃତୀୟ ରାଉଣ୍ଡରେ କ୍ୟାଟରିନା ସିନିଆକୋଭାଙ୍କୁ ହରାଇଥିବା ଏହି ଅଷ୍ଟ୍ରେଲୀୟ ଖେଳାଳି କ୍ୱାର୍ଟର ଫାଇନାଲରେ ନିଜ ଦେଶର ଆଜଲା ଟୋମିଜାନୋଭିକ୍‌ଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ପ୍ଲିସ୍‌କୋଭା ଦ୍ୱିତୀୟ ସେମିଫାଇନାଲରେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ୫-୭, ୬-୪, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ଲିସ୍‌କୋଭାଙ୍କର ଏହା ପ୍ରଥମ ଓ୍ବିମ୍ବେଲଡନ ଫାଇନାଲ ପ୍ରବେଶ। ୨୦୧୬ରେ ସେ ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରି ପରାଜିତ ହୋଇଥିଲେ। ୨୦୧୯ରେ ସେ ଅଷ୍ଟ୍ରେଲିଆନ ଓପନ ଏବଂ ୨୦୧୭ରେ ଫ୍ରେଞ୍ଚ୍‌ ଓପନର ସେମିଫାଇନାଲରୁ ବିଦାୟ ନେଇଥିଲେ।
ପୁରୁଷ ଡବଲ୍ସରେ ହୋରାସିଓ ଜେବାଲୋସ ଓ ମାର୍ସେଲ ଗ୍ରାନୋଲେର୍ସ ଯୋଡ଼ି ଫାଇନାଲରେ ପ୍ରବେଶ କରିଛନ୍ତି। ପ୍ରଥମ ସେମିଫାଇନାଲରେ ଏହି ଯୋଡ଼ି ସିମୋନେ ବୋଲେଲି ଓ ମାକ୍ସିମୋ ଗୋଞ୍ଜାଲେଜଙ୍କୁ ୬-୪, ୬-୪, ୭-୬(୭/୩) ସେଟ୍‌ରେ ପରାସ୍ତ କରିଛନ୍ତି। ସେହିପରି ଦ୍ୱିତୀୟ ସେମିଫାଇନାଲରେ ନିକୋଲା ମେକଟିକ୍‌ ଓ ମେଟ୍‌ ପାଭିକ୍‌ ଯୋଡ଼ି ୭-୬(୮/୬), ୬-୩, ୬-୭(୨/୭), ୭-୬(୭/୫) ସେଟ୍‌ରେ ରାଜୀବ ରାମ ଓ ଜୋ ସାଲିସବୁରୀଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି।

Share