ଆନ୍ତର୍ଜାତିକ ସ୍ତରକୁ ବରଗଡ଼ ଛାତ୍ରୀଙ୍କ ପ୍ରକଳ୍ପ ମନୋନୀତ

ବରଗଡ଼ ଅଫିସ୍‌,୧୬।୯: ଇନସ୍ପାୟାର୍‌ ଆୱାର୍ଡ଼ରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଦେଓଳି ହାଇସ୍କୁଲ, ସତୀଭଟାର ଛାତ୍ରୀ କଲ୍ୟାଣୀ ସାହୁଙ୍କ ପ୍ରକଳ୍ପ ଶୁକ୍ରବାର ଆନ୍ତର୍ଜାତୀକ ସ୍ତର ପ୍ରତିଯୋଗିତାକୁ ମନୋନୀତ ହୋଇଛି । କଲ୍ୟାଣୀ ପ୍ରଥମେ ତାଙ୍କ ପ୍ରକଳ୍ପ ହାଇଟେକ୍‌ ବେଡ୍‌ ଫର୍‌ ପେସେଣ୍ଟ ଆଣ୍ଡ୍‌ ଓଲ୍ଡ ପର୍ସନକୁ ଜିଲାସ୍ତରୀୟ ପ୍ରତିଯୋଗିତାରେ ସ୍ଥାନିତ କରିଥିଲେ । ସେହି ପ୍ରକଳ୍ପ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲା ଏବଂ ସେଠାକାର ୬୬ପ୍ରକଳ୍ପ ମଧ୍ୟରେ କଲ୍ୟାଣୀଙ୍କ ସମେତ ବରଗଡ଼ ଜିଲାର ୯ପ୍ରକଳ୍ପ ସ୍ଥାନିତ ହୋଇଥିଲା । ତେବେ ଜାତୀୟସ୍ତର ପ୍ରତିଯୋଗିତାରେ ୬୦ପ୍ରକଳ୍ପ ସ୍ଥାନିତ ହୋଇଥିବାବେଳେ ସେଠାରେ ଓଡ଼ିଶାର ୯ପ୍ରକଳ୍ପ ରହିଥିଲା । ସେଥିମଧ୍ୟରୁ ଓଡ଼ିଶାର ୨ପ୍ରକଳ୍ପ ଜାପାରେ ହେବାକୁ ଥିବା ଆନ୍ତର୍ଜାତିକ ପ୍ରତିଯୋଗିତାକୁ ମନୋନୀତ ହୋଇଛି ଏବଂ ସେଥିରେ କଲ୍ୟାଣୀଙ୍କ ପ୍ରକଳ୍ପ ରହିଛି । କଲ୍ୟାଣୀଙ୍କ ଏଭଳି ସଫଳତା ଯୋଗୁ ଶୁକ୍ରବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ତାଙ୍କୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଛି । କଲ୍ୟାଣୀଙ୍କ ସହିତ ବରଗଡ଼ ଜିଲା ଶିକ୍ଷା ବିଭାଗରୁ ଡଃ ମନୋଜ କୁମାର ସାହୁ ତାଙ୍କ ସହିତ ରହିଥିଲେ । କଲ୍ୟାଣୀଙ୍କ ଏହି କୃତିତ୍ୱ ଜାଣିବା ପରେ ବରଗଡ଼ ଜିଲାରେ ଖୁସିର ଲହରୀ ଖେଳି ଯାଇଛି ।