ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରାର ସ୍ଥାୟୀ ସ୍ବାଗତ ତୋରଣ ଭାଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । ବିଜେଡିରୁ ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ଏନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ପାଣ୍ଡେଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିବା ବେଳେ ଆମ ଆଦମୀ ପାର୍ଟି ଭିଜିଲାନ୍ସ ତଦନ୍ତ ଦାବି କରିଛି। ସେହିପରି କଂଗ୍ରେସ ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି।
ଏହାରି ଭିତରେ ବରଗଡ଼ ଲୋକସଭା ସାଂସଦ(ଏମ୍ପି) ପ୍ରଦୀପ ପୁରୋହିତ ଏକ ବଡ଼ ବୟାନ ଦେଇଛନ୍ତି। ସେ ତୋରଣ ଭାଙ୍ଗିବା ଘଟଣାରେ ପି.ସି କାରବାର ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ତୁମେ ଖାଇବ ପି.ସି, ଆଉ ବଦନାମ ହେବ ମୋହନ ମାଝୀଙ୍କ ସରକାର।
ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି। ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଆସୁଛନ୍ତି। ଏହି କ୍ରମରେ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ମୁଖ୍ୟମନ୍ତ୍ରୀ କ୍ରମାଗତ ୨ଥର ଆସି ଧନୁଯାତ୍ରା ମହୋତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଘୋଷଣା ସହିତ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିଛନ୍ତି ।
ହେଲେ ୬ ମାସ ନ ବିତୁଣୁ କୋଟିଏରୁ ଉଦ୍ଧର୍ବ ଟଙ୍କାରେ ନିର୍ମିତ ଧନୁଯାତ୍ରା ସ୍ବାଗତ ତୋରଣ ଝଡବତାସରେ ଭାଙ୍ଗିଗଲା । ଏହାର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଫଳରେ ଏହାର ଭିଜିଲାନ୍ସ ତଦନ୍ତ ସହିତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଜେଲକୁ ପଠାଯାଉ ବୋଲି ପୁରୋହିତ କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଏବଂ ସଚିବଙ୍କୁ ଲେଖି ଜଣାଇଥିବା ପୁରୋହିତ କହିଛନ୍ତି।