Categories: ଖେଳ

ଲିଜେଣ୍ଡ୍ସ ଲିଗ୍‌ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ

ଭୁବନେଶ୍ୱର, ୨୫।୮ (କ୍ରୀଡ଼ା ପ୍ରତିନିଧି): ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୬ ତାରିଖରେ ଆରମ୍ଭ ହେବ। ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ଟି୨୦ ଲିଗ୍‌ର ମ୍ୟାଚଗୁଡ଼ିକ ଭାରତର ୫ଟି ଭେନ୍ୟୁ କୋଲକାତା, ନୂଆଦିଲ୍ଲୀ, କଟକ, ଲକ୍ଷ୍ନୌ ଓ ଯୋଧପୁରରେ ଖେଳାଯିବ। କଟକର ବାରବାଟୀ ଷ୍ଟାଡିୟମରେ ୩ଟି ମ୍ୟାଚ ୨୭, ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି।

ଆବ୍‌ସୋଲ୍ୟୁଟ ଲିଜେଣ୍ଡ୍ସ ସ୍ପୋଟର୍‌ସ କମ୍ପାନୀ ଆନୁକୂଲ୍ୟରେ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଓମାନରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଖେଳାଳି ପ୍ରଜ୍ଞାନ ଓଝା ପ୍ରମୁଖ ଆଗାମୀ ଲିଗ୍‌ରେ ଅଂଶଗ୍ରହଣ କରିବେ। ଖେଳିବାକୁ ଯାଉଥିବା ଅନ୍ୟ ପ୍ରମୁଖ ଖେଳାଳିମାନେ ହେଲେ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହ୍ବାଗ, ଇରଫାନ ପଠାନ, ୟୁସୁଫ ପଠାନ, ହରଭଜନ ସିଂ ଓ ଏସ୍‌. ଶ୍ରୀସନ୍ଥ।

ବାହାର ଦେଶରୁ କ୍ରିସ୍‌ ଗେଲ୍‌, ଶେନ ଓ୍ବାଟସନ, ବ୍ରେଟ୍‌ ଲୀ, ଜଣ୍ଟି ରୋଡ୍ସ, ଡେଲ୍‌ ଷ୍ଟୋଇନ, ସନଥ ଜୟସୂରିୟା ପ୍ରମୁଖ ଖେଳାଳିମାନେ ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବେ। ପ୍ରତିଯୋଗିତାରେ ମୋଟ ୪ଟି ଦଳ ଅଂଶଗ୍ରହଣ କରିବେ। କାର୍ଯ୍ୟସୂଚୀ ଅନୁସାରେ କୋଲକାତା, ନୂଆଦିଲ୍ଲୀ ଓ କଟକରେ ୩ଟି ଲେଖାଏ ଏବଂ ଲକ୍ଷ୍ନୌ ଓ ଯୋଧପୁରରେ ୨ଟି ଲେଖାଏ ମ୍ୟାଚ ଖେଳାଯିବାର ଯୋଜନା ରହିଛି। ଲକ୍ଷ୍ନୌରେ ସେପ୍ଟେମ୍ବର ୨୧ ଓ ୨୨, ନୂଆଦିଲ୍ଲୀରେ ୨୪ରୁ ୨୬, ଯୋଧପୁରରେ ଅକ୍ଟୋବର ୧ ଓ ୩ରେ ମ୍ୟାଚ ଖେଳାଯିବ।

Share