ବାରଙ୍ଗ ଥାନା ଏଏସ୍‌ଆଇଙ୍କ ଆତ୍ମହତ୍ୟା ! କାରଣ ଅସ୍ପଷ୍ଟ

ବାରଙ୍ଗ,୧୮।୧୨(ଡି.ଏନ୍‌.ଏ.): ଆତ୍ମହତ୍ୟା କରିଛନ୍ତି ବାରଙ୍ଗ ଥାନା ଏଏସ୍‌ଆଇ ଅଶୋକ ପ୍ରଧାନ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟାର ପକୃତ କାରଣ ଜଣାପଡି ନ ଥିବାବେଳେ ପାରିବାରିକ କଳହ ଯୋଗୁ ଏହି ଘଟଣା ଘଟିଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।

ଶନିବାର ରାତିରେ ଅଶୋକ ବାରଙ୍ଗ ଥାନାରୁ ଘରକୁ ଆସି ନିଜ ରୁମ୍‌ରେ ରହିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଶୋକ ଖାଇବାକୁ ଆସି ନ ଥିଲେ। ତାଙ୍କ ସ୍ତ୍ରୀ ଝିଅଙ୍କୁ ଶୁଆଇ ଅଶୋକ ରହିଥିବା ରୁମର କବାଟ ବାଡେଇ ଥିଲେ ମଧ୍ୟ ସେ ଖୋଲି ନ ଥିଲେ। ସନ୍ଦେହରେ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଡାକିଥିଲେ। ସେ ଥିବା ରୁମ୍‌ର କବାଟ ଭଙ୍ଗାଯିବା ପରେ ଅଶୋକ ଗାମୁଛା ଲଗାଇ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାକୁ ଖବର ଦେଇଥିଲେ। ପୋଲିସ ଉପସ୍ଥିତିରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ୧୯୯୫ ମସିହାରେ ଅଶୋକ ଓଡିଶା ପୋଲିସରେ ଯୋଗ ଦେଇଥିଲେ। ପରେ ଏଏସ୍‌ଆଇ ଭାବେ ପଦୋନ୍ନତି ପାଇ ୨୦୨୧ରେ ବାରଙ୍ଗ ଥାନାରେ ଯୋଗ ଦେଇଥିଲେ।