Categories: ମେଟ୍ରୋ

କାକଟପୁର ରତ୍ନବଟ ଆଶ୍ରମରେ ବାରଗାଦି ମେଳନ ଅନୁଷ୍ଠିତ, ଭାଗବତ ପାଠର ପ୍ରଚାର ପ୍ରସାର ନିମନ୍ତେ ଚାଲି ଆସୁଛି ପରମ୍ପରା

କାକଟପୁର,୧୮।୫(ଡି.ଏନ୍‌.ଏ.): ଶନିବାର ପବିତ୍ର ବୁଦ୍ଧପୂର୍ଣ୍ଣିମା ତଥା ବୈଶାଖ ପୂର୍ଣ୍ଣିମା ଅବସରରେ ପ୍ରାଚୀ ଉପତ୍ୟକାର ରତ୍ନବଟ ଆଶ୍ରମରେ ବାରଗାଦି ଭାଗବତ ମେଳନ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ନିକଟସ୍ଥ ତୁଳସୀପୁର, ଭାଣପୁର, ବାଲୁଙ୍କ, ସାନହୁଲି, କେଶେରାଇପୁର, ଜାହାଙ୍ଗୀରପୁର, ଦଣ୍ଡିକିରା, ଛଣିଜଙ୍ଗ, ବଳଭଦ୍ରପୁର ଆଦି ୧୨ ଗାଁର ଭାଗବତ ଗାଦିଙ୍କୁ ଗ୍ରାମବାସୀମାନେ ସୁସଜ୍ଜିତ ବିମାନରେ ଆଣି ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ଆଶ୍ରମର ପୂଜକ ରାଜକିଶୋର ଶତପଥି ତୁଳସୀପାଣି, ପୁଷ୍ପମାଲ୍ୟ ଦେଇ ଠାକୁରମାନଙ୍କୁ ସ୍ବାଗତ କରିଥିଲେ। ପ୍ରଥମେ ତୁଳସୀପୁର ଗ୍ରାମର ଭାଗବତ ଗାଦି ବାର ଦୋଳମେଳନ ମଣ୍ଡପର ଦକ୍ଷିଣପାର୍ଶ୍ୱରେ ଉପବେସନ କରିବା ପରେ ଅନ୍ୟ ସମସ୍ତ ଠାକୁର ବସିଥିଲେ। ମଧ୍ୟାହ୍ନରେ ଠାକୁରଙ୍କ ସମ୍ମୁଖରେ ଦ୍ୱାଦଶ ସ୍କନ୍ଦ ଭାଗବତ ପାଠ କରାଯାଇଥିଲା। ଏହା ପରେ ଠାକୁରଙ୍କୁ ଅନ୍ନ ଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ଆତସବାଜି ପ୍ରଦର୍ଶନ ପରେ ଠାକୁରମାନେ ସ୍ବ ସ୍ବ ବିମାନରେ ଗ୍ରାମକୁ ଯାଇ ଦ୍ୱାରିଭୋଗ ଖାଇଥିଲେ। ଏହି ଅବସରରେ ସଭାମଣ୍ଡପର ଭେଟ ପଡ଼ିଆରେ ମେଳା ଲାଗିଥିଲା। ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭାଗବତ ପାଠର ପ୍ରଚାର ତଥା ପ୍ରସାର କରିବା ସହ ଗାଁ ଗାଁ ଭିତରେ ଥିବା ଭାଇଚାରାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ କାହିଁ କେତେକାଳରୁ ଏହି ମେଳନ ହେଉଥିବା ତୁଳସୀପୁର ଗ୍ରାମର କ୍ଷମାନିଧି ତ୍ରିପାଠୀ କହିଛନ୍ତି। ବାତ୍ୟା ଫନୀ ଆଶ୍ରମର ବୃକ୍ଷରାଜୀକୁ ଧ୍ୱସ୍ତବିଧ୍ୱଂସ୍ତ କରିଦେଇଥିଲେ ସୁଦ୍ଧା ପରମ୍ପରାକୁ ବନ୍ଦ କରାଯାଇନାହିଁ ବୋଲି ସେ କହିଛନ୍ତି।