ବନ୍ତ, ୧୯।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ପୋଲିସ ଶୁକ୍ରବାର ଏକ ଚଢ଼ାଉ କରି ୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ, ବ୍ରାଉନସୁଗାର ଚୋରା ଚାଲାଣ ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ବନ୍ତ ଥାନା ଅଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ତାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ବନ୍ତ ଥାନା ଅନ୍ତର୍ଗତ କେନାଲ ରୋଡ଼ ନିକଟରେ ଛକି ରହିଥିଲେ।
ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ଏକ ମୋଟରସାଇକେଲରେ ଦୁଇଜଣ ଯୁବକ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ଦୁଇ ଯୁବକ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।
ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ତଲାସି ସମୟରେ ଅଭିଯୁକ୍ତ ଚନ୍ଦନ ଦାସଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଜବତ ନିଶାଦ୍ରବ୍ୟକୁ ଆଇନ ଅନୁଯାୟୀ ସିଲ୍ କରାଯାଇଥିବା ବେଳେ ବ୍ୟବହୃତ ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି।
ଏହି ଘଟଣାରେ ବନ୍ତ ଥାନାରେ କେସ୍ ନଂ-୧୯୫/୨୬ ରେ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କଟାସା ଅଞ୍ଚଳର ଚନ୍ଦନ ଦାସ (୨୦) ଏବଂ ପ୍ରଶ୍ନଜିତ ପଣ୍ଡା ଓରଫ ‘ପପୁ’ (୩୧)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏହି ନିଶା କାରବାରର ମୂଳ ଚେର କେଉଁଠି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।