ବାଣପୁର ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ,୨୪ା୪: ଏକ ପରିବାରକୁ ବାସନ୍ଦ କରାଯାଇଥିବା ନେଇ ପୋଲିସର ନିଷ୍କ୍ରିୟତା ବିରୋଧରେ ଆଗତ ମାମଲାରେ ବାଣପୁର ଥାନା ଆଇଆଇସିଙ୍କୁ ହାଇକୋର୍ଟ ଉପଯୁକ୍ତ ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଏସ୍‌. କେ. ପାଣିଗ୍ରାହୀ ମାମଲାର ଶୁଣାଣି କରି ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ପ୍ରତାପ ଗ୍ରାମର ବାସନ୍ତୀ ବେହେରାଙ୍କୁ କେତେଜଣ ବ୍ୟକ୍ତି ଗ୍ରାମରୁ ବାସନ୍ଦ କରିଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ହାଇକୋର୍ଟରେ ଅପରପକ୍ଷଙ୍କ ବିରୋଧରେ ବାସନ୍ତୀ କରିଥିବା ମାମଲା ବିଚାରାଧୀନ ରହିଛି। ହେଲେ ଅପରପକ୍ଷ କେସ୍‌ ଉଠାଇନେବାକୁ ବାସନ୍ତୀଙ୍କ ସ୍ବାମୀଙ୍କୁ କହିଥିଲେ। କେସ୍‌ ନ ଉଠାଇଲେ ଜୀବନରୁ ମାରିଦେବା ପାଇଁ ସେମାନେ ଧମକ ଦେଇଥିଲେ। କଙ୍ଗାରୁ କୋର୍ଟ ବସି ତାଙ୍କ ଉପରେ ମୋଟାଅଙ୍କର ଜରିମାନା କରି ଗ୍ରାମରୁ ବାସନ୍ଦ କରିଥିଲେ। ଗ୍ରାମର ଲୋକମାନେ କେହି ତାଙ୍କ ପରିବାରକୁ ସହଯୋଗ ନ କରିବାକୁ ମଧ୍ୟ ହୁଇପ୍‌ ଜାରି କରିଥିଲେ। ଏହାଦ୍ୱାରା ବାସନ୍ତୀଙ୍କ ପରିବାର ଗ୍ରାମରେ ଶାନ୍ତିରେ ରହିପାରୁ ନ ଥିବାରୁ ସେ ବାଣପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଫଳରେ ସେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବାଣପୁର ଥାନା ଆଇଆଇସିଙ୍କୁ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜୟଦେବ ବେହେରା ମାମଲା ପରିଚାଳନା କରୁଥିଲେ।