ଟଙ୍କାଛପା କାଗଜ କାରଖାନା ଲାଗି ସ୍ଥିତି ଅନୁଧ୍ୟାନ

ବାଲେଶ୍ୱର ଅଫିସ, ୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବାଲେଶ୍ୱର ଜିଲାରେ ଟଙ୍କାଛପା କାଗଜ କାରଖାନା ସ୍ଥାପନ ଲାଗି ନିଷ୍ପତ୍ତି ହେବା ପରେ ଅଧିକାରୀମାନଙ୍କ ପକ୍ଷରୁ ବାରମ୍ବାର ଜମି ସର୍ବେକ୍ଷଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଆର୍‌ବିଆଇର ୩ଜଣିଆ ଟିମ୍‌ ସହ ଇଡ୍‌କୋ, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ଆର୍‌ ଆଣ୍ଡ ବିର ମୁଖ୍ୟ ୮ଜଣିଆ ଟିମ୍‌ ମିଳିତ ଭାବେ ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ। ସେଠାରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲାପାଳ ଭବେଶ ନାୟକ ଓ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଜିଲା ପ୍ରଶାସନ ସହ ରେମୁଣା ବ୍ଲକ ଅଧୀନ ପଦାବଡ଼ଗାଁ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆର୍‌ବିଆଇ ଟଙ୍କା ଛପା କାଗଜ କାରଖାନାର ମୁଖ୍ୟ ମାନସ ମହାନ୍ତିଙ୍କ ସମେତ ଉଚ୍ଚ ଅଧିକାରୀମାନେ ପଦାବଡ଼ଗାଁରେ ପହଞ୍ଚି ଥିବା ବେଳେ ଏଠାରେ ଏହି ପ୍ରକଳ୍ପ ହେବା ଏକପ୍ରକାର ସିଦ୍ଧାନ୍ତ କରାଯାଉଥିବା ସୂଚନା ମିଳିଛି।
କାରଖାନା ଲାଗି ୧୫୦ ଏକର ଜମି ଓ ରାସ୍ତା ପାଇଁ ପ୍ରାୟ ୬ ଏକର ଜମି ଆବଶ୍ୟକତା ରହିଛି। ଏହି ଜମି ବୁଢ଼ାବଳଙ୍ଗ ନଦୀ ନିକଟରେ ଥିବାରୁ ବନ୍ୟା ସ୍ଥିତିକୁ ନେଇ ପ୍ରଶାସନ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆବଶ୍ୟକ ପଡ଼ିଲେ ବନ୍ୟାଜଳକୁ କେନାଲ ଦେଇ ନିୟନ୍ତ୍ରଣ କରାଯାଇପାରିବ ବୋଲି ଅଧିକାରୀମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପୂର୍ବରୁ ଗତ ଏପ୍ରିଲରେ ପ୍ରଥମଥର ପାଇଁ ଆର୍‌ବିଆଇର ୩ଜଣିଆ ଟିମ୍‌ ଇଡ୍‌କୋ ଏବଂ ଜିଲା ପ୍ରଶାସନ ସହଯୋଗରେ ରେମୁଣା ବ୍ଲକ ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଅଞ୍ଚଳରେ ଥିବା ସରକାରୀ ଜମିକୁ ବୁଲି ଦେଖିଥିଲେ। ପୁନର୍ବାର ଗତ ଜୁଲାଇ ୧୨ତାରିଖରେ ଆର୍‌ବିଆଇର ଏକ ଟିମ୍‌ ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚି ସେଠାରେ କିଛି ସମୟ ଆଲୋଚନା ପରେ ଜମି ସର୍ବେକ୍ଷଣ ପାଇଁ ପଦାବଡ଼ଗାଁ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।