ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ ନୀରଜ ସିହ୍ନାଙ୍କୁ ହରାଇ ଭାଜପାର ୩୫ ବର୍ଷର ଗଡ଼କୁ ଭାଙ୍ଗିଛନ୍ତି। ପୋଷ୍ଟାଲ ବାଲାଟ ଗଣନାରୁ ହିଁ ସେ ଅଗ୍ରଣୀ ରହିଥିଲେ।

ପ୍ରଶାନ୍ତ କିଶୋର ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିଲେ ମଧ୍ୟ ତାଙ୍କୁ ରାଜନୀତିର ଜଣେ ଦକ୍ଷ ରଣନୀତିକାର ଭାବେ ଦେଖାଯାଏ।

ବାଙ୍କିପୁର ଉପନିର୍ବାଚନରେ ବୁଥ୍‌ ପରିଚାଳନାକୁ ମଜବୁତ କରିବା ପାଇଁ ପ୍ରଶାନ୍ତ କିଶୋର କୌଣସି ପ୍ରକାରର ଅବହେଳା କରିନଥିଲେ। ଏଥିପାଇଁ ସେ ସ୍ବାଧୀନ ପ୍ରାର୍ଥୀ ନୀତିଶ କୁମାରଙ୍କ ସହଯୋଗ ମଧ୍ୟ ନେଇଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ବୁଥ୍‌ରେ ଭୋଟ ପ୍ରକ୍ରିୟା ଉପରେ ଦୁଇସ୍ତରୀୟ ନଜର ରଖିବା।

ବୁଥ୍‌ ପରିଚାଳନାକୁ ନେଇ ପ୍ରଶାନ୍ତ କିଶୋର ବେଶ୍‌ ସତର୍କ ଥିଲେ। ସେ ଭୋଟିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟକୁ ନେଇ ପୂରାପୂରି ନିଶ୍ଚିତ ରହିବାକୁ ଚାହୁଁଥିଲେ। ଏଥିପାଇଁ ଏପରି ରଣନୀତି ପ୍ରସ୍ତୁତ କରାଯାଇଥିଲା ଯେ, ପ୍ରଶାନ୍ତ କିଶୋରଙ୍କ ନିଜସ୍ବ ବୁଥ୍‌ ଏଜେଣ୍ଟଙ୍କ ସହିତ ବାଙ୍କିପୁର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ନୀତିଶ କୁମାରଙ୍କ ବୁଥ୍‌ ଏଜେଣ୍ଟମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା।

ପ୍ରଶାନ୍ତ କିଶୋର ନୀତିଶ କୁମାରଙ୍କ ଏହି ନେଟୱର୍କର ସମ୍ପୂର୍ଣ୍ଣ ସହଯୋଗ ନେଇଥିଲେ। ବାଙ୍କିପୁରର ୩୦୦ରୁ ଅଧିକ ବୁଥ୍‌ରେ ନୀତିଶ କୁମାରଙ୍କ ବୁଥ ଏଜେଣ୍ଟମାନେ ମୁତୟନ ହୋଇଥିଲେ, ଯାହାଦ୍ୱାରା ପ୍ରଶାନ୍ତ କିଶୋରଙ୍କ ଟିମ ପ୍ରତ୍ୟେକ ବୁଥ୍‌ରୁ ସିଧାସଳଖ ଓ ସଠିକ ସୂଚନା ପାଇପାରୁଥିଲା।

ତେବେ ଆଶ୍ଚର୍ଯ୍ୟର ବିଷୟ ହେଲା, ୩୦୦ରୁ ଅଧିକ ବୁଥ୍‌ରେ ଏଜେଣ୍ଟ ମୁତୟନ ଥିବା ସତ୍ତ୍ୱେ ୨୨ ରାଉଣ୍ଡ ଗଣନା ଶେଷ ସୁଦ୍ଧା ସ୍ବାଧୀନ ପ୍ରାର୍ଥୀ ନୀତିଶ କୁମାର ମାତ୍ର ୧୦୧ଟି ଭୋଟ ପାଇଥିବା ସୂଚନା ମିଳିଛି।

Odisha’s No.1 Odia Daily

Share