ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ:୩ ଦଳ ପାଇଁ ସମ୍ମାନର ପ୍ରଶ୍ନ

ବାଙ୍କୀ, ୨୬।୨(ଜ୍ଞାନରଞ୍ଜନ ମିଶ୍ର):କଟକ ଜିଲା ଅନ୍ତର୍ଗତ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ ବାଙ୍କୀ ଏନ୍‌ଏସି, ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ବାରଙ୍ଗ ବ୍ଲକର ୮ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଜେଡି ପ୍ରାର୍ଥୀ ଲଗାତର ୩ ଥର ଜିତି ଆସିଛନ୍ତି। ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ଦେବାଶିଷ ପଟ୍ଟନାୟକ ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ ବିଜେଡିର ପ୍ରଭାତ ତ୍ରିପାଠୀ ଏବଂ ୨୦୧୯ରେ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ ବିଜେଡି ଟିକେଟ ପାଇ ଜୟଯୁକ୍ତ ହୋଇଥିଲେ। ତେବେ ଚିଟ୍‌ଫଣ୍ଡ ଲିଙ୍କ୍‌ରେ ପ୍ରଭାତଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ୨୦୧୯ରେ ବିଜେଡିରୁ ତାଙ୍କୁ ଟିକେଟ ମିଳି ନ ଥିଲା। ତଥାପି ପ୍ରଭାତଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ପୁଅଙ୍କୁ ଦଳ ଟିକେଟ ଦେଇଥିଲା।
ବର୍ଷ ଭିତରେ ବାଙ୍କୀରେ ସେମିତି ଆଖିଦୃଶିଆ କାର୍ଯ୍ୟ ଦେଖିବାକୁ ମିଳି ନ ଥିବାବେଳେ ଦେବୀରଞ୍ଜନ କିନ୍ତୁ ରାଜନୈତିକ କ୍ୟାରିୟରକୁ ବେଶ୍‌ ମଜଭୁତ କରିପାରିଛନ୍ତି। ଇତିମଧ୍ୟରେ ସେ ଛାତ୍ର ବିଜେଡିର ରାଜ୍ୟ ସଭାପତି ଦାୟିତ୍ୱରେ ରହିଛନ୍ତି। ଏପରି କି ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ତାଙ୍କୁ ମିଳିଛି। ତେଣୁ ୨୦୨୪ରେ ଟିକେଟ ମିଳିବା ନେଇ ଦେବୀରଞ୍ଜନ ଆଶାବାଦୀ। ଏପରି କି ପ୍ରଭାତ ମଧ୍ୟ ଟିକେଟ ଲବିରେ ଥିବା ଆଲୋଚନା ହେଉଛି। ତେବେ ଏଭଳି ଆଲୋଚନାକୁ ପ୍ରଭାତ ଖଣ୍ଡନ କରିଛନ୍ତି। ବାଙ୍କୀ ନିର୍ବାଚନମଣ୍ଡଳୀ ପାଇଁ ଦେବୀରଞ୍ଜନଙ୍କୁ ଟିକେଟ ମିଳିବାରେ ସେଭଳି କୌଣସି ଅସୁବିଧା ନାହିଁ। ତେବେ ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାମ କରିବେ ବୋଲି ପ୍ରଭାତ କହିଛନ୍ତି।
କଂଗ୍ରେସର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ୨୦୧୪ରେ ବାଙ୍କୀ ନିର୍ବାଚନମଣ୍ଡଳୀ ଛାଡ଼ି ବେଗୁନିଆରୁ ପ୍ରାର୍ଥୀ ହୋଇ ଯେଉଁ ଭୁଲ୍‌ କରିଥିଲେ ତା’ର ପରିଣାମ ୨୦୧୯ରେ ଭୋଗିଥିଲେ। ଗତ ନିର୍ବାଚନରେ ସେ ବାଙ୍କୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସୁଦ୍ଧା ଭୋଟର ତାଙ୍କ ଉପରେ ଭରସା କରିପାରି ନ ଥିଲେ। ତଥାପି ବାଙ୍କୀରେ କଂଗ୍ରେସର ଯେଉଁ ନିର୍ଦ୍ଦିଷ୍ଟ ପକେଟ ଭୋଟ ରହିଛି, ତାକୁ ପାଇ ଦେବାଶିଷ ୨ୟ ସ୍ଥାନରେ ରହିଥିଲେ। ଗତ ୫ ବର୍ଷ ମଧ୍ୟରେ ସେ ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ତେଣୁ ଏଥର ଦଳୀୟ ଟିକେଟ ହାସଲ କରି ବିଜୟୀ ହେବାକୁ ଜୋରସୋର ଉଦ୍ୟମ ଆରମ୍ଭ କରିଛନ୍ତି।
କଥା ଦେଖିଲେ ବାଙ୍କୀରେ ଦଳ ପୂର୍ବାପେକ୍ଷା ସ୍ଥିତି ସୁଦୃଢ଼ କରିବାରେ ଲାଗିଛି। ୨୦୦୯ ଓ ୨୦୧୪ରେ ଦଳର ପ୍ରାର୍ଥୀ ୧୦ହଜାରରୁ କମ୍‌ ଭୋଟ ପାଇଥିବାବେଳେ ୨୦୧୯ରେ ଭାଜପା ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ୩୨ହଜାର ଭୋଟ ପାଇଥିଲେ। ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଗୋଟେ ପ୍ରକାର ଦୃଢ଼ ଆଶା ସଞ୍ଚାର ହୋଇଥିଲା। ଏପରି କି ଗତ ୫ବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ବାଚନମଣ୍ଡଳୀକୁ ଆଣି ଏକ ପ୍ରକାର ମାହୋଲ ସୃଷ୍ଟି କରିଛନ୍ତି। ଭାଜପାର ତୁଷାରକାନ୍ତି ଚକ୍ରବର୍ତ୍ତୀ, ଯିଏକି ଏବେ ବାରଙ୍ଗ ଜିଲା ପରିଷଦ ସଦସ୍ୟ ରହିଛନ୍ତି, ସେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେଣୁ ୨୦୨୪ ନିର୍ବାଚନ ୩ ଦଳ ପାଇଁ ସମ୍ମାନର ପ୍ରଶ୍ନ ବୋଲି ମତଦାତା ମହଲରେ ଆଲୋଚନା ହେଉଛି।