ବ୍ୟାଙ୍କ ଧର୍ମଘଟ: କାରବାର ପ୍ରଭାବିତ

ଢେଙ୍କାନାଳ ଅଫିସ,୧୮।୧୨ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ସର୍ବଭାରତୀୟସ୍ତରରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ) ଆହ୍ବାନରେ ଚାଲିଥିବା ୨ଦିନିଆ ଧର୍ମଘଟ ଶୁକ୍ରବାର ଶେଷ ହୋଇଛି। ଦେଶରେ ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏହାର ଘରୋଇକରଣ ହେଲେ ସାଧାରଣ ଜନତା ପ୍ରଭାବିତ ହେବ। ଏହାର ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ଶାଖା ସମ୍ମୁଖରେ ୟୁଏଫ୍‌ବିୟୁର ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମନମୋହନ ନାୟକ, ନିରଞ୍ଜନ ମିଶ୍ର, ଗୋପାଳ ସାହୁ, ସୌମ୍ୟ ମିଶ୍ର, ବିଭାସ ମହାନ୍ତି, ସନ୍ତୋଷ ବରାଳ, ମନୋଜ ସାହୁ, ଆଶିଷ ସାମଲ, ତାପସ ସାହୁ, ରାଜୁ ଦାସ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ବ୍ୟାଙ୍କ କାରବାର ବନ୍ଦ ଥିବାରୁ ବ୍ୟବସାୟୀ, ସାଧାରଣ ଜନତା ସମସ୍ୟାରେ ପଡ଼ିଥିଲେ।