ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦:  ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ ଏଭଳି ଏକ ଖବର ଇଣ୍ଟରନେଟ୍‌ରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏକ କଥିତ ସରକାରୀ ଗେଜେଟ୍ ବିଜ୍ଞପ୍ତି ଭାଇରାଲ୍‌ କରି ଦାବି କରାଯାଉଛି ଯେ, ଦେଶର ସମସ୍ତ ସରକାରୀ ବ୍ୟାଙ୍କରେ ଏବେ ପ୍ରତ୍ୟେକ ଶନିବାର ଛୁଟି ରହିବ। ଏହି ଖବରକୁ ନେଇ ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଯଥେଷ୍ଟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ ସରକାରୀ ସ୍ତରରେ ଏହାର ଯାଞ୍ଚ କରାଯିବା ପରେ ଅସଲ ସତ ସାମ୍ନାକୁ ଆସିଛି।

ଭାଇରାଲ୍‌ ହେଉଥିବା ଏହି ସରକାରୀ ଆଦେଶପତ୍ରଟି ଦେଖିବାକୁ ପୂରା ଅସଲି ଭଳି ଲାଗୁଛି। କେନ୍ଦ୍ର ସରକାର ଓ ଅର୍ଥ ମନ୍ତ୍ରଣାଳୟ ନାମରେ ଜାରି କରାଯାଇଥିବା ଏହି ମେସେଜ୍‌ରେ ଲେଖାଯାଇଛି ଯେ, ‘ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI) ସମେତ ଦେଶର ସମସ୍ତ ସରକାରୀ ବ୍ୟାଙ୍କରେ ଏବେ ପ୍ରତ୍ୟେକ ଶନିବାର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ଏହାକୁ ସାର୍ବଜନୀନ ଛୁଟି ଘୋଷଣା କରାଯାଇଛି।’ ଲୋକମାନେ ଏହାକୁ ସତ ଭାବି ନିଜ ନିଜ ଭିତରେ ଶେୟାର କରୁଛନ୍ତି, ଯାହାଫଳରେ ଅନେକ ଗ୍ରାହକ ସେମାନଙ୍କ ବ୍ୟାଙ୍କିଙ୍ଗ୍‌ କାମ ମଧ୍ୟ ସ୍ଥଗିତ ରଖିଛନ୍ତି।

ଏହି ଭ୍ରାମକ ଖବର ସରକାରଙ୍କ ନଜରକୁ ଆସିବା ପରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫରମେସନ୍‌ ବ୍ୟୁରୋ (PIB)ର ଫ୍ୟାକ୍ଟ ଚେକ୍‌(ତଥ୍ୟ ଯାଞ୍ଚ) ଟିମ୍‌ ଏହାର ଯାଞ୍ଚ କରିଥିଲା। ଯାଞ୍ଚ ପରେ PIB ସ୍ପଷ୍ଟ କରିଛି ଯେ, ଏହି ଖବର ସମ୍ପୂର୍ଣ୍ଣ ମିଛ ଓ ନକଲି। ସରକାର କିମ୍ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କ ଛୁଟିକୁ ନେଇ ଏଭଳି କୌଣସି ଗେଜେଟ୍ ନୋଟିଫିକେଶନ୍‌ ଜାରି କରାଯାଇ ନାହିଁ। କେତେକ ଅସାଧୁ ବ୍ୟକ୍ତି ଜାଣିଶୁଣି ଜନସାଧାରଣଙ୍କୁ ହଇରାଣ କରିବା ପାଇଁ ଏପରି ଗୁଜବ ପ୍ରଚାର କରୁଛନ୍ତି।

ଶନିବାର ଛୁଟିକୁ ନେଇ କ’ଣ ରହିଛି ପ୍ରକୃତ ନିୟମ?

ବ୍ୟାଙ୍କିଙ୍ଗ୍‌ ନିୟମାବଳୀ ଅନୁଯାୟୀ, ବ୍ୟାଙ୍କଗୁଡ଼ିକରେ ପ୍ରତ୍ୟେକ ଶନିବାର ଛୁଟି ରହେନାହିଁ। ଦେଶର ସମସ୍ତ ବ୍ୟାଙ୍କ ମାସର କେବଳ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହନ୍ତି। ଯଦି କୌଣସି ମାସରେ ପାଞ୍ଚଟି ଶନିବାର ପଡ଼ିଥାଏ, ତେବେ ପ୍ରଥମ, ତୃତୀୟ ଏବଂ ପଞ୍ଚମ ଶନିବାର ଦିନ ବ୍ୟାଙ୍କଗୁଡ଼ିକ ସାଧାରଣ ଦିନ ଭଳି କାର୍ଯ୍ୟକ୍ଷମ ରହନ୍ତି। ଏହି ନିୟମରେ ସରକାର କୌଣସି ପରିବର୍ତ୍ତନ କରିନାହାନ୍ତି।

Dharitri – Odisha’s No.1 Odia Daily

Share