ଚଳନ୍ତା ଟ୍ରେନରୁ ଖସିପଡିଲେ ବ୍ୟାଙ୍କ କର୍ମଚାରୀ, ଡାକ୍ତରଖାନା ନେବା ରାସ୍ତାରେ…

ଗୁଣପୁର,୨୫।୫( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିଗଡ଼ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାର କର୍ମଚାରୀ ଦିଲୀପ କୁମାର ସାବତ। ସୋମବାର ଦିଲୀପ ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ ଯୋଗେ ଆମ୍ବଦଳା ଯାତ୍ରା କରୁଥିଲେ । ସକାଳୁ ସେ ଅମ୍ବାଦଳା ରେଳ ଷ୍ଟେଶନରେ ଟ୍ରେନଟି ପହଞ୍ଚିବା ବେଳେ ଦିଲୀପ ଶୋଇ ପଡ଼ିଥିଲେ । ହଠାତ୍‌ ନିଦ ଭାଙ୍ଗିଲା ବେଳକୁ ଟ୍ରେନଟି ଛାଡିଦେଇଥିଲା । ଦିଲୀପ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଚଳନ୍ତା ଟ୍ରେନରୁ ଓହ୍ଲାଉଥିବାବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ସେ ଗୁରୁତର ଭାବେ ଆହତ ହୋଇଥିଲେ। ରେଳବାଇ ସୁରକ୍ଷା ବଳ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଅମ୍ବାଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ଭବାନୀପାଟଣା ନେବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Odisha’s No.1 Odia Daily

Share