ଅବ୍ୟବସ୍ଥା ଘେରରେ ବ୍ୟାଙ୍କ ଶାଖା

କଣିହଁା,୨୫।୪: (ଡି.ଏନ.ଏ) ଅନୁଗୋଳ ଜିଲା କଣିହଁା ବ୍ଲକ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ରେଙ୍ଗାଳି ଶାଖାର ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ଅଭିଯୋଗ ହେଉଛି। ପୂର୍ବରୁ ଏହି ଶାଖା କାର୍ଯ୍ୟାଳୟ ରେଙ୍ଗାଳି ବନ୍ଧ ଯୋଜନାର ପ୍ରାଶାସନିକ ଭବନରେ ଦୀର୍ଘ ୪୫ ବର୍ଷ ହେବ ଚାଲିଆସୁଥିଲା। ସେଠାରେ ସମସ୍ତ ସୁବିଧା ସୁଯୋଗ ଥିବା ସତ୍ତ୍ୱେ ଦୁଇ ବର୍ଷ ହେବ ବ୍ୟାଙ୍କ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲା। ହେଲେ ଏବେ ବ୍ୟାଙ୍କ ଚାଲୁଥିବା ଘରଟି ଉପର ମହଲାରେ ହୋଇଥିବାରୁ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନେ ସେବା ପାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଘଣ୍ଟା ଘଣ୍ଟା ଖରାରେ ଅପେକ୍ଷା କଲା ପରେ ଯାଇ କାର୍ଯ୍ୟ ହେଉଛି।
ସେହିପରି ପିଇବା ପାଇଁ ଆବଶ୍ୟକ ପାଣି ଓ ବ୍ୟାଙ୍କ ପରିସରରେ କୌଣସି ଶୌଚାଳୟ ବ୍ୟବସ୍ଥା ନ ଥିବାରୁ ଉପଭୋକ୍ତାମାନେ ଅସୁବିଧାର ଭୋଗୁଛନ୍ତି। ବ୍ୟାଙ୍କ ସମ୍ମୁଖ ରାସ୍ତା ଠିକ୍‌ ନ ଥିବାରୁ ଭିନ୍ନକ୍ଷମାନେ ଆସୁଥିବା ତିନିଚକିଆ ସାଇକେଲ ସେଠାକୁ ଯାଇପାରୁ ନାହିଁ। ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହୁଛି। ଫଳରେ ଯିବା ଆସିବାରେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଖପାଖ ଦୋକାନୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଏ ନେଇ ଶାଖା ପରିଚାଳକ ଅବିନାଶ ତ୍ରିପାଠୀ କହିଛନ୍ତି, ବ୍ୟାଙ୍କ ୨ ବର୍ଷ ପୂର୍ବରୁ ଉଠିସାରିଛି। ଏଟିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଏବଂ ନେଟଓ୍ବାର୍କ ସମସ୍ୟା ପାଇଁ ଅସୁବିଧା ହେଉଛି। ବରିଷ୍ଠ ନାଗରିକମାନଙ୍କୁ ସବୁବେଳେ ସେବା ଯୋଗାଇ ଦିଆଯାଉଛି।