୧୮ଲକ୍ଷ ଟଙ୍କା ଆତ୍ମସାତକରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ

ଝାରସୁଗୁଡା ଅଫିସ୍‌,୧୨।୭: ଜଣେ ଅବସରପ୍ରାପ୍ତ ଏମ୍‌ସିଏଲ୍‌ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୮ଲକ୍ଷ ୨୫ହଜାର ଟଙ୍କା ଆତ୍ମସାତକରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି। ଅବସରପ୍ରାପ୍ତ ଏମ୍‌ସିଏଲ୍‌ କର୍ମଚାରୀଙ୍କ ସ୍ତ୍ରୀ ସାରସମାଲ ଗ୍ରାମର ଶ୍ରୀମତି ମୁଣ୍ଡା ଗତ ମଙ୍ଗଳବାର ବ୍ରଜରାଜନଗର ପୋଲିସ୍‌ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ୍‌ ଏକ ମାମଲା (ନଂ.୧୮୧/୨୧) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଏସମ୍ପର୍କରେ ଖବରପାଇ ପୋଲିସ୍‌ ଗିରଫଦାରୀ ଭୟରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟାଣ୍ଟ ଜଣକ ଫେରାର ହୋଇଯାଇଥିଲେ।

ଏସ୍‌ପି ବିକାଶ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ବ୍ରଜରାଜନଗର ଥାନା ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍‌ଙ୍କ ନେତୃତ୍ୱରେ ଏକ ପୋଲିସ୍‌ ଟିମ୍‌ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ନେଇ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାଙ୍କ ଆକାଉଣ୍ଟାଣ୍ଟ ସନ୍ଦିପ ମହାନ୍ତିଙ୍କୁ ଧରିବାରେ ସଫଲ ହୋଇଥିଲେ।

ଅଭିଯୋଗ ମୁତାବକ, ଏମ୍‌ସିଏଲ୍‌ର ଓରିଏଣ୍ଟ କୋଲିଆରୀ ୨ନମ୍ବରଜ ମାଇନିଂରେ କାର୍ଯ୍ୟ କରୁଥିବା ଦଶରଥ ମୁଣ୍ଡା ୨୦୧୪ରେ ଅବସର ନେଇଥିଲେ। ଅବସର ପରେ କମ୍ପାନୀ ପକ୍ଷରୁ ଚାକିରି କାଳୀନ ସମସ୍ତ ଟଙ୍କା ଦଶରଥଙ୍କ ଆକାଉଣ୍ଟକୁ ଆସିଥିଲା। କର୍ମଚାରୀଙ୍କ ଆକାଉଣ୍ଟ ବ୍ରଜରାଜନଗର ଲମଟିବାହାଲ ଷ୍ଟେଟ୍‌ ବ୍ୟାଙ୍କରେ ରହିଥିଲା । ଇତିମଧ୍ୟରେ ୨୦୧୭ରେ ଦଶରଥଙ୍କ ମୃତ୍ୟୁ ଘଟିଥିଲା। ଫଳରେ ଟଙ୍କା ପାଇବା ପାଇଁ ତାଙ୍କ ସ୍ତ୍ରୀ ଶ୍ରୀମତି ଲିଗାଲ୍‌ ହେୟାର ସାଟିଫିକେଟ୍‌ ବାହାର କରି ବ୍ୟାଙ୍କରେ ଦାଖଲ କରିଥିଲେ। ହେଲେ ଟଙ୍କା ପାଇବାରେ ବିଳମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀମତିଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ୩ଟି କିସ୍ତୀରେ ବ୍ୟାଙ୍କ କର୍ତ୍ତୃପକ୍ଷ ୧୧ଲକ୍ଷ ୩୦ହଜାର ଟ୍ରାନ୍ସଫର୍‌ କରିଥିଲେ। ହେଲେ ବାକି ଟଙ୍କା ଆକାଉଣ୍ଟାଣ୍ଟ ସନ୍ଦିପ ତାଙ୍କର ଜଣେ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିଦେଇଥିଲେ। ହେଲେ ବାକି ଟଙ୍କା ପାଇବା ପାଇଁ ଶ୍ରୀମତି ଓ ତାଙ୍କ ପୁଅ ବ୍ୟାକୁ ଯାଇ ମ୍ୟାନେଜର ଓ ଆକାଉଣ୍ଟାଣ୍ଟକୁ ବାରମ୍ବାର ପଚାରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏନେଇ ଶ୍ରୀମତି ବ୍ୟାଙ୍କ ଆକାଉଣ୍ଟାଣ୍ଟଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ ।