ଲକ୍ଷ୍ନୌ,୨୩ା୪: ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ଓ ପରେ ମୁସ୍ତାଫିଜୁର ରହମାନଙ୍କ ୫ ଉଇକେଟ ସଫଳତା ବଳରେ ବାଂଲାଦେଶ ଗୁରୁବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୫୫ ରନରେ ପରାସ୍ତ କରିଛି। ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଘରୋଇ ବାଂଲାଦେଶ ଦଳ ୨-୧ ବ୍ୟବଧାନରେ ଜିତି ନେଇଛି। ଶାଣ୍ଟୋଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ନାହିଦ ରାଣାଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୩୨ ରନ ମଧ୍ୟରେ ଟପ୍ ଅର୍ଡର ୩ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଶାଣ୍ଟୋ ଓ ଲିଟନ ଦାସ ଚତୁର୍ଥ ଉଇକେଟରେ ୧୬୦ ରନ ଯୋଡ଼ିଥିଲେ। ଲିଟନ ୭୬ (୩ ଚୌକା ଓ ୧ ଛକା) ରନ କରି ଆଉଟ୍ ହୋଇଥିବା ବେଳେ ଶାଣ୍ଟୋ ୧୦୫ (୯ ଚୌକା ଓ ୨ ଛକା) ରନର ଶତକୀୟ ପାଳି ଖେଳିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତୋହିଦ ହୃଦୟ ଅପରାଜିତ ୩୩ (୨ ଚୌକା ଓ ୧ ଛକା) ଓ ଅଧିନାୟକ ମେହିଦି ହାସନ ମିରାଜ ୨୨ (୨ ଚୌକା) ରନ କରିଥିଲେ। ଫଳରେ ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୧୬୫ ରନ କରିଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବିଲିଅମ ଓରାଉକେ ୩ ଉଇକେଟ ନେଇଥିବା ବେଳେ ବେନ ଲିଷ୍ଟର ଓ ଜେଡେନ ଲେନକ୍ସ ୨ଟି ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୪.୫ ଓଭରରେ ୨୧୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଦଳ ପାଇଁ ଡିନ ଫକ୍ସକ୍ରଫ୍ଟ ୭୫ (୭ ଛକା) ଓ ନିକ କେଲି ୫୯ (୬ ଚୌକା ଓ ୧ ଛକା) ରନ୍ କରିଥିଲେ। ବିଜୟୀ ଦଳ ପାଇଁ ମୁସ୍ତାଫିଜୁର ୫ ଉଇକେଟ ନେଇଥିବା ବେଳେ ନାହିଦ ରାଣା ଏବଂ ଅଧିନାୟକ ମିରାଜ ୨ଟି ଲେଖାଏ ଉଇକେଟ ହାତେଇଥିଲେ।