Categories: ଜାତୀୟ

ଆଦାନୀ ପାଓ୍ବାର ୨୦୧୭ ଚୁକ୍ତିର ସମୀକ୍ଷା କରିବ ବାଂଲାଦେଶ

ନୂଆଦିଲ୍ଲୀ,୨ା୨: ଆଦାନୀ ପାଓ୍ବାର ଲିମିଟେଡ୍‌ ଅଧୀନ ଝାଡ଼ଖଣ୍ଡର ଏକ ଥର୍ମାଲ ପାଓ୍ବାର ପ୍ଲାଣ୍ଟରୁ ବିଦ୍ୟୁତ୍‌ କିଣିବା ପାଇଁ ସ୍ବାକ୍ଷରିତ ଚୁକ୍ତିର ସମୀକ୍ଷା କରିବାକୁ ବାଂଲାଦେଶ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

୨୦୧୭ ନଭେମ୍ବରରେ ବାଂଲାଦେଶ ପାଓ୍ବାର ଡେଭେଲପ୍‌ମେଣ୍ଟ ବୋର୍ଡ (ବିପିଡିପି) ଏବଂ ଆଦାନୀ ପାଓ୍ବାର ମଧ୍ୟରେ ଏକ ୨୫ ବର୍ଷିଆ ପାଓ୍ବାର ପର୍ଚେଜିଂ ଏଗ୍ରିମେଣ୍ଟ ହୋଇଥିଲା। ଢାକାରେ ସମ୍ପାଦିତ ଉକ୍ତ ଚୁକ୍ତି ଅନୁସାରେ ଆଦାନୀ ପାଓ୍ବାର ଝାଡ଼ଖଣ୍ଡର ଗୋଡ୍ଡା ପାଓ୍ବାର ପ୍ଲାଣ୍ଟରୁ ୧,୪୯୬ ମେଗାଓ୍ବାଟ୍ସ ବିଦ୍ୟୁତ୍‌ ଶକ୍ତି ବାଂଲାଦେଶକୁ ଯୋଗାଇ ଆସୁଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଉକ୍ତ ଚୁକ୍ତିରେ କିଛି ପରିବର୍ତ୍ତନ ଅଣା ନ ଗଲେ ସେଠାକାର ପାଓ୍ବାର ଡିଭିଜନ୍‌ ଆଦାନୀ ପାଓ୍ବାରକୁ ୨୫ ବର୍ଷ ମଧ୍ୟରେ ୨୩.୮୭ ବିଲିୟନ୍‌ ଆମେରିକୀୟ ଡଲାର (ସ୍ଥାନୀୟ କରେନ୍ସି ୨୪୦,୦୦୦ କୋଟି ଟାକା) ପଇଠ କରିବା କଥା। ଏବେ ବାଂଲାଦେଶରେ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୨ ଟାକାରେ ଉପଲବ୍ଧ ହେଉଛି। କିନ୍ତୁ ଆଦାନୀ ପାଓ୍ବାର ବାଂଲାଦେଶରୁ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୨୦-୨୨ ଟାକା ଅସୁଲ କରୁଛି। ତେଣୁ ବିଦ୍ୟୁତ୍‌ ମୂଲ୍ୟରେ ହ୍ରାସ ନ କଲେ ଏହି ଚୁକ୍ତି ବଳବତ୍ତର ରହିବ ନାହିଁ ବୋଲି ବିପିଡିପି ଅଧିକାରୀମାନେ କହିଛନ୍ତି। ଇତିମଧ୍ୟରେ ବାଂଲାଦେଶ ପାଓ୍ବାର ସେକ୍ଟରର ବିକାଶ ଦାୟିତ୍ୱରେ ଥିବା ବିପିଡିବି ଏହି ଚୁକ୍ତିର ସମୀକ୍ଷା ପାଇଁ ଆଦାନୀ ପାଓ୍ବାରକୁ ଏକ ପତ୍ର ଲେଖିଛି।

Share