Categories: ଖେଳ

ବାଂଲାଦେଶ ବିଜୟ ନିକଟତର

ସିଲହେଟ୍‌, ୨ା୧୨: ବାମହାତି ସ୍ପିନର ତାଇଜୁଲ ଇସ୍‌ଲାମ ୪ ଉଇକେଟ ସଫଳତା ପରେ ବାଂଲାଦେଶ ଏଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ନିକଟତର ହୋଇଛି। ୩୩୨ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ନ୍ୟୁଜିଲାଣ୍ଡ ଶୁକ୍ରବାର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ୭ ଉଇକେଟ ବିନିମୟରେ ୧୧୩ ରନ କରିଛି।

ଡେରିଲ ମିଚେଲ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ୪୪ ରନ କରିଥିବା ବେଳେ ଇଶ୍‌ ସୋଧି ୭ ରନ କରି କ୍ରିଜ୍‌ରେ ଅଛନ୍ତି। ଉଇକେଟରେ କିଛି ସମୟ ତିଷ୍ଠି ରହିଥିବା ଅନ୍ୟ ଏକମାତ୍ର ଖେଳାଳି ଓପନ ଡେଭନ କନଓ୍ବେ ୨୨ ରନ କରିଥିଲେ। ଶୁକ୍ରବାର ସକାଳେ ଘରୋଇ ଦଳ ପୂର୍ବଦିନର ଅସମାପ୍ତ ସ୍କୋର ୨୧୨/୩ରୁ ଏହାର ଖେଳ ଆରମ୍ଭ କରିଥିଲା। ଚତୁର୍ଥ ଦିବସ ଖେଳର ଦ୍ୱିତୀୟ ଓଭରରେ ଟିମ୍‌ ସାଉଦିଙ୍କ ବଲ୍‌ରେ ଟମ୍‌ ବ୍ଲଣ୍ଡେଲଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ ପୂର୍ବଦିନ ଶତକ ହାସଲକାରୀ ନାଜମୁଲ ହୋସେନ ଶାନ୍ତୋ। ପୂର୍ବଦିନ ସ୍କୋରରେ ସେ ମାତ୍ର ୧ ରନ ଯୋଗୁ କରି ବ୍ୟକ୍ତିଗତ ୧୦୫ ସ୍କୋରରେ ଆଉଟ ହୋଇଯାଇଥିଲେ। ଏହାଦ୍ୱାରା ଚତୁର୍ଥ ଉଇକେଟରେ ୯୮ରନ ପାର୍ଟନରଶିପ୍‌ର ଅନ୍ତ ଘଟିଥିଲା। ପରେ ୫୦ ରନ କରି ଅପରାଜିତ ରହିଥିବା ମେହିଦି ହସନ ଦଳର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ।

Share