୩୬ ଘଣ୍ଟା ପରେ ବି ଜଳୁଛି ନିଆଁ

ଢାକା,୬।୬: ବାଂଲାଦେଶର ଦକ୍ଷିଣପୂର୍ବାଞ୍ଚଳରେ ଥିବା ଏକ ଘରୋଇ ରାସାୟନିକ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ଚିଟ୍ଟାଗ୍ରାମ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ବିସ୍ଫୋରଣ ଘଟଣାରେ ଦୁଃଖପ୍ରକାଶ କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଘଟଣାର ୩୬ ଘଣ୍ଟା ପରେ ମଧ୍ୟ ଡିପୋରେ ଥିବା କିଛି କଣ୍ଟେନର ଏବେ ବି ଜଳୁଛି। ଏନେଇ ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଏପରି କି ଉଦ୍ଧାରକାରୀ ଟିମ୍‌ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରୁଛନ୍ତି।

ପୋଲିସ ସୂଚନା ମୁତାବକ, ଚିଟ୍ଟାଗଙ୍ଗର ସୀତାକୁଣ୍ଡ ଉପଜିଲା ଅନ୍ତର୍ଗତ କଦମରସୁଲ ଅଞ୍ଚଳରେ ଥିବା ବିଏମ୍‌ ଡିପୋରେ ରାସାୟନିକ ଭର୍ତ୍ତି ଏକ କଣ୍ଟେନରରେ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ସମ୍ପୂର୍ଣ୍ଣ ଡିପୋକୁ ନିଆଁ ବ୍ୟାପିଯାଇଥିଲା। ସେଠାରେ ପ୍ରାୟ ୪,୦୦୦ କଣ୍ଟେନର ଥିବାବେଳେ ସେଥିରୁ ଅଧିକାଂଶରେ ବିଦେଶକୁ ରପ୍ତାନି ହେବା ଲାଗି ପୋଷାକ ଭର୍ତ୍ତି ହୋଇଥିଲା। ନିଆଁ ବ୍ୟାପିବା ସହ ରାସାୟନିକ ଭର୍ତ୍ତି ହୋଇଥିବା ଅନ୍ୟ କଣ୍ଟେନରଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ଫଳରେ ନିଆଁ ଲିଭାଇବାକୁ ଯାଇଥିବା ୯ଜଣ ଅଗ୍ନିଶମ କର୍ମଚାରୀ ଏବଂ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିବା କିଛି ସାମ୍ବାଦିକ ଜଳିଯାଇଥିଲେ। ପୋଡ଼ିଯାଇଥିବା ମୃତଦେହଗୁଡ଼ିକର ଡିଏନ୍‌ଏ ପ୍ରୋଫାଇଲିଂ ପରେ ପରିବାରକୁ ହସ୍ତାନ୍ତର କରାଯିବ। ମୃତକଙ୍କ ପରିବାରକୁ ୫୦,୦୦୦ ଏବଂ ଆହତଙ୍କୁ ୨୦,୦୦୦ ଟାକା ଲେଖାଏ ଦିଆଯାଉଥିବା ଚିଟ୍ଟୋଗ୍ରାମ ଡିଭିଜନାଲ କମିଶନର ଅଶ୍ରଫ ଉଦ୍ଦିନ କହିଛନ୍ତି।

Share