ସୋନପୁର,୨୩ା୫: ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ଛକ ନିକଟରେ ବ୍ୟାଣ୍ଡ୍ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିଯୋଗୁ ଗାଡ଼ି ଉପରେ ବସିଥିବା ବରଗଡ଼ ଜିଲାର ୨ ଦୁଲଦୁଲି ବାଦ୍ୟ କଳାକାରଙ୍କ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ବୌଦ୍ଧ ଜିଲା ମନମୁଣ୍ଡାରେ କାର୍ଯ୍ୟକ୍ରମ ସାରି ଗାଡ଼ିଟି କଳାହାଣ୍ଡି ଅଭିମୁଖେ ଯାଉଥିଲା। ଏହି ଗାଡ଼ି ଉପରେ ପ୍ରାୟ ୨୬ ଜଣ ବାଦ୍ୟ କଳାକାର ଅସୁରକ୍ଷିତ ଭାବେ ବସିଥିଲେ। ଭୋର୍ ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ବସିବାରୁ ଗାଡ଼ି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। କଳାକାରମାନେ ଚାପି ହୋଇ ରହିଯାଇଥିଲେ। ପୋଲିସ ଓ ଅଗ୍ନିଶମ ସେବା କର୍ମଚାରୀମାନେ କଟର ମେଶିନ ଓ ପ୍ରୋକୋଲିନ ସହାୟତାରେ କଳାକାରମାନଙ୍କୁ ବାହାର କରିଥିଲେ। ଆମ୍ବୁଲାନ୍ସରେ ଆହତଙ୍କୁ ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ପ୍ରାୟ ୮ ଜଣ ଆହତ ହୋଇଛନ୍ତି।


