କଦଳୀ ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ: ଶୀତଳ ଭଣ୍ଡାର ନିର୍ମାଣ ଦାବି

କେସିଙ୍ଗା,୪।୮(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗାଁରେ ପ୍ରାୟତଃ ଅଧିକାଂଶ ଲୋକ ଚାଷ ଉପରେ ସବୁବେଳେ ନିର୍ଭର କରନ୍ତି l ଏହି ଅଞ୍ଚଳ ରେତ ନଦୀ ପାର୍ଶବର୍ତ୍ତୀ ହୋଇଥିବାରୁ ପ୍ରାୟ ଚାଷୀମାନେ ପୂର୍ବରୁ ଧାନ ଚାଷ ଛଡା ବିଭିନ୍ନ ପ୍ରକାର ଫସଲ ଚାଷ କରୁଥିଲେ l କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଥମେ ଗାଁର ଚାଷୀ ହରିଶ୍ଚନ୍ଦ୍ର ନାୟକ ୧୯୮୬ ମସିହାରେ କଦଳୀ ଚାରା ଆଣି ପରୀକ୍ଷା ମୂଳକ ଭାବେ ୫୦ ଡ଼ିସମିଲ ଜମିରେ ଚାଷ ଆରମ୍ଭ କରିଥିଲେ l ଏଥିରୁ ଲାଭବାନ ହେବାରୁ ଗାଁର ଅନ୍ୟ ଚାଷୀମାନେ ମଧ୍ୟ ତାଙ୍କ ଠାରୁ ପ୍ରେରଣା ପାଇ କଦଳୀ ଚାଷ କରିବା ପାଇଁ ମନ ବଳାଇଲେ।
କଦଳୀ ଏକ ଲାଭଜନକ ଫସଲ ହୋଇଥିବାରୁ ବର୍ତ୍ତମାନ ବୋରିଆ ଅଞ୍ଚଳରେ ପୂର୍ବ ବର୍ଷ ଅପେକ୍ଷା ଏବେ ୨୦ ଏକରରୁ ଉର୍ଦ୍ଧ୍ୱ ଜମିରେ ଚାଷୀ ହରିଶ୍ଚନ୍ଦ୍ର ନାୟକ, ଇନ୍ଦୁ ଭୂଷଣ ସ୍ବାଇଁ, ସୁରେଶ ନାୟକ, ଦୟାନିଧି ନାୟକ, ପଦ୍ମନାଭ ସୱାଇଁ, ପ୍ରଦୀପ ସୱାଇଁ, ମନୋରଞ୍ଜନ ନାୟକ, ଅଭିକ୍ଷିତ ନାୟକ, ଅଭିରାମ ନାଏକ, ଶ୍ରୀକାନ୍ତ ପ୍ରଧାନ, ଭାବ ମାଝୀ, ଡୋଳାମଣି ମାଝୀ, ପ୍ରମୁଖ ଚାଷୀ କଦଳୀ ଚାଷ କରୁଛନ୍ତି l
୧ ଏକର ଜମିରେ କଦଳୀ ଚାଷ କଲେ ଚାଷୀଙ୍କୁ ୩୫ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଚାଷୀର ମୂଳ ଧନକୁ ଛାଡିଦେଲେ ପ୍ରାୟ ୭୦ କିମ୍ବା ୮୦ ହଜାର ଟଙ୍କା ଲାଭ ହୋଇଥାଏ। ଏଣୁ ଏହି ଚାଷ ପ୍ରତି ଧୀରେ ଧୀରେ ଚାଷୀମାନେ ଆଗ୍ରହ ବଢ଼ାଉଛନ୍ତି l ଯେଉଁ ଚାଷୀମାନେ କଦଳୀ ଚାଷ ଠିକ ଭାବେ କରୁଛନ୍ତି ତାଙ୍କ ଆର୍ଥିକ ପରିସ୍ଥିତି ସୁଧୁରିବାରେ ଲାଗିଛି। ଏଣୁ ଧାନ ଚାଷ ତଥା ଅନ୍ୟାନ୍ୟ ଚାଷକୁ ପ୍ରାଧାନ୍ୟ ନ ଦେଇ କେବଳ କଦଳୀ ଚାଷ କରିବାରେ ଲାଗିଛନ୍ତି।
ହେଲେ କେତେକ ଛୋଟ ବଡ଼ ଚାଷୀମାନେ ନିଜର ମୂଳ ଧନ ଲଗାଇ କଦଳୀ ଚାଷ କରୁଥିବାରୁ ନିକଟ ଉତ୍କେଲା ଷ୍ଟେଟବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଏକର ପ୍ରତି ୨୫ ହଜାର ଟଙ୍କା ଋଣ ଯୋଗାଉଥିବା ଜଣାପଡିଛି। ଯାହା ଫଳରେ ଚାଷୀମାନେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି। ନିକଟ ରେତ ନଦୀରେ ବୋରିଆ ଗାଁ ଚାଷୀମାନଙ୍କ ସୁବିଧା ଲାଗି ସରକାରଙ୍କ ପକ୍ଷରୁ ୬ ଗୋଟି ଉଠା ଜଳସେଚନ ବ୍ୟବସ୍ଥା କରାଯାଇଛି।

ଏଥିମଧ୍ୟରୁ ୩ଟି ସଚଳ ରହିଥିବାବେଳେ ଆଉ ୩ଟି ଅଚଳ ଅବସ୍ଥାରେ ପଡ଼ିରହିଛି। ପୂର୍‌ ବର୍ଷ ମାନଙ୍କରେ ନଦୀରେ ପାଣିର ଘୋର ସଙ୍କଟ ରହୁଥିବାରୁ ପାଣି ପାଇଁ କଦଳୀ ଚାଷ ଅନେକ କ୍ଷତି ହେଉଥିଲା। ବିଜେଡି ସରକାରଙ୍କ ଶାସନ ସମୟରେ ରେତ ନଦୀ ଗର୍ଭରେ ଯୋଲକୋ ନିକଟରେ ଏକ ଚେକ ଡ୍ୟାମ ନିର୍ମାଣ କରିଦେବାରୁ ଏବେ ପାଣିର ଆଉ ସମସ୍ୟା ରହୁନାହିଁ l ଭଲ ଫସଲ ହେଉଥିବା ଦେଖା ଦେଇଛି l ଏଣୁ ଚାଷୀମାନେ ଏବେ ଖୁସି ଅଛନ୍ତି l ହେଲେ କଦଳୀ ବିକ୍ରୟ ପାଇଁ ଉପଯୁକ୍ତ ବଜାର ତଥା ଶୀତଳ ଭଣ୍ଡାର ବ୍ୟବସ୍ଥା ନାହିଁ l ଫଳରେ ଅନେକ ଚାଷୀ ଫସଲ ନଷ୍ଟ ହେବା ଆଶଙ୍କାରେ କେସିଙ୍ଗା, ଉତ୍କେଲା, ଭବାନୀପାଟଣା, ବଜାରରେ ବିକ୍ରି କରି ଅଧିକ ଲାଭରୁ ବଞ୍ଚିତ ହୋଇଥାନ୍ତି। କମ ଦରରେ ଛୋଟ ଛୋଟ ବେପାରୀମାନଙ୍କଠାରେ ବିକ୍ରି କରିଥାନ୍ତି l ଚାଷୀ କଦଳୀର ଉଚିତ ମୂଲ୍ୟ ପାଉନାହାନ୍ତି l ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଉପଯୁକ୍ତ ବଜାରର ସୁବିଧା ନାହିଁ l କଦଳୀ ଅଧିକ ଦିନ ସୁରକ୍ଷିତ ରହେ ନାହିଁ l ଏଣୁ ଏକ ଶୀତଲଭଣ୍ଡାର କରାଗଲେ ଚାଷୀମାନେ ଆହୁରି ଉପକୃତ ହେବେ।

ଅପରପକ୍ଷେ ଚାଷୀମାନଙ୍କୁ ବର୍ତ୍ତମାନ ସୁଦ୍ଧା ସରକାରୀସ୍ତରରୁ ଆଜି ପର୍ଯ୍ୟନ୍ତ କୌଣସି ଚାରା ଯୋଗାଇ ଦିଆଯାନାହିଁ। କଦଳୀ ଚାଷ ପାଇଁ ସମଗ୍ର କଳାହାଣ୍ଡି ଜିଲାରେ ବୋରିଆ ଗାଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି l
କଦଳୀ ଚାଷ ଲାଗି ବୋରିଆ ଗ୍ରାମର ସଫଳ ଚାଷୀ ଇନ୍ଦୁ ଭୂଷଣ ସ୍ବାଇଁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ମାନପତ୍ର ସହ ଶ୍ରେଷ୍ଠ ପୁରସ୍କାର ଦିଆଯାଇ ରାଜ୍ୟସ୍ତରରେ କଳାହାଣ୍ଡି ବୋରିଆ ଗାଁ କଦଳୀ ଚାଷକୁ ମାନ୍ୟତା ଦିଆଯାଇଛି। ଏଣୁ ଆଗାମୀ ଦିନରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଏକ ଶୀତଳ ଭଣ୍ଡାର ସହ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ଚାଷୀ ମାନଙ୍କ ପକ୍ଷରୁ ଦାବି ହେଉଛି l

 

Dharitri – Odisha’s No.1 Odia Daily