ମନୋଜଙ୍କ ଉପରୁ ବାସନ୍ଦ ଉଠିବନି

ଭୁବନେଶ୍ୱର, ୩୧।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦକୁ ନେଇ ଓଲିଉଡ଼ରେ ବଢୁଥିବା ବିବାଦ ସମାଧାନର କୌଣସି ବାଟ ବାହାରିପାରୁନି। ଆଲୋଚନା ବଦଳରେ କେବଳ ବୟାନବାଜି ଚାଲୁଥିବାରୁ ସ୍ଥିତି ଆହୁରି ବିଗିଡି ଯାଉଛି। ଏପରିସ୍ଥିତିରେ ସୋମବାର କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୧୫ ତାରିଖ କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ଏପଟେ ୩ଜଣ ପ୍ରଯୋଜକ ଜ୍ୟୋତିରଞ୍ଜନ ମହାନ୍ତି, ଏନ୍‌. ଜି. ରେଡ୍ଡୀ ଓ ରବୀନ୍ଦ୍ର ପଣ୍ଡା ଭୁବନେଶ୍ୱରରେ ଖବରଦାତା ସମ୍ମିଳନୀ କରି ମନୋଜଙ୍କ ଆଭିମୁଖ୍ୟ ସମ୍ପର୍କରେ କହିବା ସହ ତାଙ୍କ ଉପରୁ ବାସନ୍ଦ ଉଠିବନି ବୋଲି ସ୍ପଷ୍ଟ କରିଛନ୍ତି।
କହିଛନ୍ତି, ଅରିନ୍ଦମଙ୍କ ପ୍ରଯୋଜନାରେ ତିଆରି ହୋଇଥିବା ‘ରାମ୍‌’କୁ ସମ୍ବଲପୁରରେ ରିଲିଜ୍‌ କରିବାକୁ ଦିଆଗଲା ନାହିଁ। ଏନେଇ ଅରିନ୍ଦମ କହିବା ପରେ ପ୍ରଯୋଜକମାନେ ଏକାଠି ହୋଇଥିଲୁ। ବୈଠକ ବସିଥିବାବେଳେ ମନୋଜ ମିଶ୍ରଙ୍କୁ ଫୋନ୍‌ କରାଯାଇଥିଲା। ଫୋନ୍‌ ରିସିଭ୍‌ କରି ସେ କହିଥିଲେ, ଫିଲ୍ମରୁ ଜିତୁ ମଙ୍ଗରାଜଙ୍କ ସିନ୍‌ କାଢ଼ି ପାରିବ କି? ତା’ସିନ୍‌ କାଢ଼ିଲେ, ଏ ଅଞ୍ଚଳରେ ଫିଲ୍ମ ଚାଲିବ। ତାଙ୍କର ଏସବୁ କଥା ଆମେ ଶୁଣିବା ପରେ ତାଙ୍କୁ ୨ବର୍ଷ ବାସନ୍ଦ ପାଇଁ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ (ୟୁସିସିସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ବିବାଦ ବଢ଼ିବା ପରେ ସମାଧାନ ପାଇଁ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତା ଅନୁଭବ ମହାନ୍ତି, ପରେ ବାବୁଶାନ୍‌ ମହାନ୍ତି ଓ ଅରିନ୍ଦମ ମଧ୍ୟ ନିବେଦନ କରିଥିଲେ। ହେଲେ ଆଲୋଚନାକୁ ମନୋଜ ଆସିଲେ ନାହିଁ। ଭିଡିଓ ଜାରି କରି କହିଲେ, ମୁଁ ଯିବିନି। ଯଦି ସେ ଆସିବେନି, ବସିବେନି, କଥାହେବେନି- ତା’ହେଲେ ସମାଧାନ ହେବ କେମିତି? ଏଥିରୁ ଜଣାପଡ଼ୁଛି ମନୋଜ ସମସ୍ୟା ସମାଧାନ କରିବାକୁ ଚାହୁଁନାହାନ୍ତି। କଥା ହେବା ପରିବର୍ତ୍ତେ ଭିଡିଓ ଛାଡୁଛନ୍ତି। ସେହିପରି ‘ଚାମ୍ପିଅନ୍‌’ ଫିଲ୍ମରେ ମନୋଜ ଅଭିନୟ କରିଥିଲେ। ସେହି ଫିଲ୍ମର ପ୍ରଯୋଜନା କରିଥିଲେ ଦୀପ୍ତି ରେଡ୍ଡୀ। ସେହି ଫିଲ୍ମ ପାଇଁ ମନୋଜ ପୁରସ୍କୃତ ହୋଇଥିଲେ। ତା’ହେଲେ ସେ କେଉଁ ଓଡ଼ିଶାରେ? ଆମର ଏଠି ଗୋଟିଏ ସରକାର। ରାଜ୍ୟ ଗୋଟିଏ, ଭାଷା ଗୋଟିଏ। ଆମେ ସମସ୍ତଙ୍କୁ ସମ୍ମାନ ଦେଉଛୁ। ପଶ୍ଚିମ ଓଡ଼ିଶା, ପୂର୍ବ ଓଡ଼ିଶା କହିବା ମନୋଜ ହିଁ ଆରମ୍ଭ କଲେ। ଆମେ ତାଙ୍କ ଉପରୁ ବ୍ୟାନ୍‌ ଉଠାଇବୁନି। ଆମେ ତାଙ୍କୁ ବ୍ୟାନ୍‌ କରୁଛୁ, ତାଙ୍କ ଫିଲ୍ମକୁ ନୁହଁ ବୋଲି ପ୍ରଯୋଜକମାନେ କହିଛନ୍ତି।

ପୁଣି ସମାଧାନ ପାଇଁ ଅନୁରୋଧ କଲେ ଅରିନ୍ଦମ୍‌

ଅରିନ୍ଦମ ରାୟ ରବିବାର ଖବରଦାତା ସମ୍ମିଳନୀରେ ସମାଧାନ ପାଇଁ ପ୍ରସ୍ତାବ ରଖିବା ସହ ପୁଣି ସୋମବାର ଫେସ୍‌ବୁକ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଉକ୍ତ ପୋଷ୍ଟରେ ବିବାଦର ଅବସାନ ଘଟାଇବାକୁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି ଅରିନ୍ଦମ। ସେ ଲେଖିଛନ୍ତି, ତୁମ ସହ ସମାଧାନ ଲାଗି ମୁଁ ପ୍ରୟାସ କରିଛି। ହେଲେ, ମନୋଜ ଭାଇ ଆପଣ କୌଣସି ପଦକ୍ଷେପ ନେଉନାହାନ୍ତି। ଆପଣ ମୋ ଫିଲ୍ମ ‘ରାମ’କୁ ବ୍ୟାନ୍‌ କରିନାହାନ୍ତି କହିଛନ୍ତି। ମାତ୍ର ଭିଡିଓରେ ପ୍ରତିବାଦକାରୀ ଆପଣଙ୍କ ନାଁ ନେଇଛନ୍ତି। ଦୟାକରି ଆସନ୍ତା ୧୫ ବନ୍ଦ ଡାକରାକୁ ଆପଣ ସମର୍ଥନ କରନ୍ତୁନି। ଆମେ ଏକ, ଆମ ରାଜ୍ୟ ଓଡ଼ିଶା ଏକ। କୌଣସି ଫିଲ୍ମ ରାଜ୍ୟଠାରୁ ଉପରେ ନୁହେଁ ବୋଲି ସେ କହିଛନ୍ତି।

Share