Categories: ଜାତୀୟ

ଜାନୁୟାରୀ ୨୨ ପର୍ଯ୍ୟନ୍ତ ନିର୍ବାଚନ ରାଲି ଉପରେ ରୋକ…

ନୂଆଦିଲ୍ଲୀ, ୧୫।୧ : ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ହେବାକୁ ଥିବା ରାଲି ଉପରେ ରୋକ ଜାନୁୟାରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ରାଲି ଏବଂ ରୋଡ ଶୋ’ ଉପରେ ରୋକ ଲାଗୁ କରାଯାଇଥିଲା। ବୈଠକ ପରେ ରୋକ ଅବଧିରେ ପୁଣି ୭ ଦିନ ବୃଦ୍ଧି କରାଯାଇଛି। ଛୋଟ ଏବଂ ଇନଡୋର ରାଲି ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ କଟକଣା କୋହଳ କରାଯାଇଛି।

ଏଭଳି ରାଲିରେ ଯୋଗଦେବା ଲୋକସଂଖ୍ୟା ୩୦୦ ଧାର୍ଯ୍ୟ କରାଯିବା ନେଇ ନିର୍ବାଚନ କମିଶନ ସହମତି ପ୍ରକାଶ କରିଛନ୍ତି। ଏହା ସହିତ ଘର ଘର ବୁଲି ପ୍ରଚାରକୁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ଭର୍ଚୁଆଲ ମାଧ୍ୟମରେ ମଧ୍ୟ ପ୍ରଚାର କରିବାକୁ ଅନୁମତି ପ୍ରଦାନ କରାଯାଇଛି।

ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟରେ ବିନା ରାଲିରେ କିଭଳି ନିର୍ବାଚନ ପ୍ରଚାର କରାଯିବ ସେ ନେଇ ରାଜନୈତିକ ଦଳ ମଧ୍ୟରେ ଭାଳେଣି ପଡ଼ିଛି।

Share