ପୁଣି ଥରେ ତେଜିଲା ବଲ-ଟ୍ୟାମ୍ପରିଂ ବିବାଦ; କ୍ୟାମେରନ ବ୍ୟାନକ୍ରଫ୍ଟଙ୍କ ଦାବିର ଜବାବ ଦେଲେ ପ୍ୟାଟ କମିନ୍ସ

ନୂଆଦିଲ୍ଲୀ,୧୯।୧୧: ୨୦୧୮ ମସିହାର ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ସମୟରେ ଘଟିଥିବା ‘ବଲ-ଟ୍ୟାମ୍ପରିଂ’ (ball-tampering) ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଉସମାନ ଖ୍ବାଜାଙ୍କ ଦ୍ୱାରା କରାଯାଇଥିବା ଖୁଲାସାକୁ ସମର୍ଥନ କରି, କ୍ୟାମେରନ ବ୍ୟାନକ୍ରଫ୍ଟ ପ୍ରାୟ ୪,୦୦୦ ଶବ୍ଦ ବିଶିଷ୍ଟ ଏକ ବିବୃତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତିଯାହା ଅଷ୍ଟ୍ରେଲୀୟ କ୍ରିକେଟ ଜଗତରେ ପୁଣିଥରେ ହଇଚଇ ସୃଷ୍ଟି କରିଛି। ବର୍ତ୍ତମାନ, ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପାଟ କମିନ୍ସ ବ୍ୟାନକ୍ରଫ୍ଟଙ୍କ ଏହି ନୂଆ ତଥ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି।
ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସ କହିଛନ୍ତି ଯେ ଏହି ଘଟଣା ବିଷୟରେ ତାଙ୍କର ପୂର୍ବରୁ କୌଣସି ସୂଚନା ନଥିଲା। ପୂର୍ବରୁ, କମିନ୍ସ ଉସମାନ ଖ୍ବାଜାଙ୍କ ଦାବିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ଖଣ୍ଡନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବୁଧବାର ସାରେ କ୍ୟାମେରନ ବ୍ୟାନକ୍ରଫ୍ଟ ପ୍ରାୟ ୪,୦୦୦ ଶବ୍ଦର ଏକ ବିବୃତି ଜାରି କରିଥିଲେ, ଯେଉଁଥିରେ ସେ ଉସମାନ ଖ୍ବାଜାଙ୍କ ସେହି ଦାବିକୁ ସମର୍ଥନ କରିଥିଲେ ଯେ ଦଳର ସମସ୍ତ ଖେଳାଳି ଏହି ଘଟଣା ବିଷୟରେ ଅବଗତ ଥିଲେ।
ବ୍ୟାନକ୍ରଫ୍ଟ ନିଜ ବିବୃତିରେ ପୋର୍ଟ ଏଲିଜାବେଥ ଏବଂ କେପ ଟାଉନରେ ଘଟିଥିବା ‘ବଲ-ଟ୍ୟାମ୍ପରିଂ’ (ବଲ ସହ ଛେଡ଼ଛାଡ଼) ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ଏକ ସ୍ବତନ୍ତ୍ର ମଞ୍ଚ ଗଠନ କରିବାକୁ ଘୋଷଣା କରିଛି, ଯାହାଫଳରେ ୨୦୧୮ ଗସ୍ତରେ ସାମିଲ ଥିବା ବ୍ୟକ୍ତିମାନେ ନିଜର ମତାମତ ରଖିବାକୁ ସୁଯୋଗ ପାଇପାରିବେ। କ୍ରିକେଟ ଅଷ୍ଟ୍ରେଲିଆର ଏହି ଘୋଷଣା ପରେ ବ୍ୟାନକ୍ରଫ୍ଟ ନିଜର ବିବୃତି ଜାରି କରିଛନ୍ତି।
ନିଜର ଏକ ଲେଖାରେ, ବ୍ୟାନକ୍ରଫ୍ଟ ଗତ ଶୁକ୍ରବାର ସିଡନୀରେ ପାଟ କମିନ୍ସଙ୍କ ଦ୍ୱାରା ଆୟୋଜିତ ୬୮ ମିନିଟର ସାମ୍ବାଦିକ ସମ୍ମିଳନୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେହି ସାମ୍ବାଦିକ ସମ୍ମିଳନୀରେ, ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ଖ୍ବାଜାଙ୍କ ସେହି ଦାବିକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଥିଲେ ଯେ ଦଳର ସମସ୍ତ ସଦସ୍ୟ ବଲ-ଟ୍ୟାମ୍ପରିଂ ବିଷୟରେ ଜାଣିଥିଲେ। ଏହା ସହିତ, ସେ ଖ୍ବାଜାଙ୍କ ଉପରେ ଅନ୍ୟମାନଙ୍କ ଜୀବନକୁ ନେଇ ଅସାବଧାନ ହେବାର ଅଭିଯୋଗ ମଧ୍ୟ ଆଣିଥିଲେ। କମିନ୍ସଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବ୍ୟାନକ୍ରଫ୍ଟ ଲେଖିଛନ୍ତି, ‘ତାଙ୍କ କଥା ଶୁଣି ମୋତେ ରାଗ ଲାଗିଲା; ମୋତେ ଲାଗିଲା ଯେପରି ମୋ ସହ ବିଶ୍ୱାସଘାତକତା କରାଯାଇଛି ଏବଂ ମୋତେ ସମ୍ପୂର୍ଣ୍ଣ ଏକା ଛାଡ଼ି ଦିଆଯାଇଛି।’
ବ୍ୟାନକ୍ରଫ୍ଟଙ୍କ ଲେଖା ପ୍ରକାଶ ପାଇବା ପରେ, ପାଟ କମିନ୍ସଙ୍କ ଦୀର୍ଘଦିନର ଏଜେଣ୍ଟ ନିଲ ମ୍ୟାକ୍ସୱେଲ ଗୁରୁବାର ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଗତ ଆଠ ବର୍ଷ ଧରି ପାଟଙ୍କ ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି; ସେ ଆରମ୍ଭରୁ ହିଁ ନିଜ ସ୍ଥିତିରେ ଅଟଳ ରହିଛନ୍ତି ଏବଂ ଏହି ବିଷୟରେ ତାଙ୍କର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ସ୍ପଷ୍ଟ। କ୍ୟାମେରନ ଯେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି, ତାହାକୁ ନେଇ ପାଟ ନିଶ୍ଚିତ ଭାବରେ ସମ୍ବେଦନଶୀଳ ଅଟନ୍ତି। ମ୍ୟାକ୍ସୱେଲ ଲୋକମାନଙ୍କୁ ପାଟଙ୍କ ପୂର୍ବ ସାକ୍ଷାତକାରର ସମ୍ପୂର୍ଣ୍ଣ ବିବରଣୀ (ଟ୍ରାନ୍ସକ୍ରିପ୍ଟ) ପୁନର୍ବାର ଦେଖିବାକୁ ପରାମର୍ଶ ଦେଇଛନ୍ତି ଏବଂ ଗୁରୁତ୍ୱ ଦେଇ କହିଛନ୍ତି ଯେ ସେ କୌଣସି ବିଷୟ ଉପରେ ମତ ଦେବା ବାକି ରଖିନାହାନ୍ତି। ମ୍ୟାକ୍ସୱେଲ ଆହୁରି ମଧ୍ୟ କହିଛନ୍ତି ଯେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୁନର୍ଗଠନରେ କମିନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କେପ ଟାଉନ ଘଟଣା ସମୟରେଯେତେବେଳେ ତାଙ୍କୁ ୨୪ ବର୍ଷ ବୟସ ହୋଇଥିଲାପାଟ ଦଳର ଉନ୍ନତି ପାଇଁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଗତ ଆଠ ବର୍ଷ ଧରି ସେ ସେହି ଲକ୍ଷ୍ୟ ପୂରଣ ପାଇଁ ନିଜକୁ ସମର୍ପିତ କରିଛନ୍ତି।
ଉଲ୍ଲେଖନୀୟ ଯେ, ବୁଧବାର ଏକ ସ୍ବତନ୍ତ୍ର ମଞ୍ଚ (independent forum) ଗଠନ ଘୋଷଣା କରିବା ସମୟରେ, କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଟଡ ଗ୍ରୀନବର୍ଗ କହିଛନ୍ତି ଯେ କମିନ୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୌଣସି ଆଧାର ନାହିଁ। ସେ ସ୍ପଷ୍ଟ କରିଛନ୍ତି ଯେ ୨୦୧୮ ମସିହାର ତଦନ୍ତ କେବଳ ‘ନ୍ୟୁଲ୍ୟାଣ୍ଡସ ଟେଷ୍ଟ’ ସମୟରେ ଘଟିଥିବା ଘଟଣାବଳୀ ମଧ୍ୟରେ ସୀମିତ ଥିଲା। ସେ ଆହୁରି ମଧ୍ୟ ଜୋର୍‌ ଦେଇ କହିଛନ୍ତି ଯେ, ଏହି ସ୍ବତନ୍ତ୍ର ମଞ୍ଚ ମାଧ୍ୟମରେ ଯଦି କୌଣସି ନୂତନ ତଥ୍ୟ ସାମ୍ନାକୁ ଆସେ, ତେବେ ସେ ଆଧାରରେ କୌଣସି ନୂତନ ଦଣ୍ଡବିଧାନ କରାଯିବ ନାହିଁ। ଗ୍ରୀନବର୍ଗ କହିଛନ୍ତି, ‘ଅଧିନାୟକଙ୍କୁ ‘ଦୋଷମୁକ୍ତ’ (exonerate) କରିବାର କୌଣସି ଆବଶ୍ୟକତା ନାହିଁ; ଆମର ଉଦ୍ଦେଶ୍ୟ ତାହା ନୁହେଁ। ତଦନ୍ତ ପୂର୍ବରୁ ହିଁ ସମ୍ପନ୍ନ ହୋଇସାରିଛି। ପାଟ (କମିନ୍ସ) ଏବଂ ଅନ୍ୟ ବୋଲରମାନଙ୍କ କ୍ଷେତ୍ରରେ ଗୋଟିଏ କଥା ସମ୍ପୂର୍ଣ୍ଣ ସ୍ଥିର ରହିଛି: ସେମାନଙ୍କ ବୟାନ କେବେବି ବଦଳି ନାହିଁ। ୨୦୧୮ କେପ ଟାଉନ ଟେଷ୍ଟର ପରଦିନ ପାଟ ଯାହା କହିଥିଲେ, ବର୍ଷ ବର୍ଷ ପରେ ମଧ୍ୟ ସେ ସେହି କଥା ହିଁ କହିଛନ୍ତି ଏବଂ ଆଜି ମଧ୍ୟ ତାଙ୍କର ସେହି ସମାନ ମତ ରହିଛିତାଙ୍କ ବିବୃତ୍ତିରେ ଏକ ସ୍ପଷ୍ଟ ସମାନତା ରହିଛି।’
କ୍ୟାମେରନ ବ୍ୟାନକ୍ରଫ୍ଟଙ୍କ ଲେଖା ସମ୍ପର୍କରେ କ୍ରିକେଟ ଅଷ୍ଟ୍ରେଲିଆ କହିଛି: ‘କ୍ୟାମେରନ ବ୍ୟାନକ୍ରଫ୍ଟ ନିଜ ପକ୍ଷ ରଖିବାକୁ ଆଗେଇ ଆସିଥିବାରୁ ଆମେ ଏହାକୁ ସମ୍ମାନ ଦେଉଛୁ। ତାଙ୍କ ମତାମତ ଉପରେ ବିଚାର କରିବା ପାଇଁ ଆମେ ସମୟ ନେବୁ। ଆମର ବିଶ୍ୱାସ ଯେ ୨୦୧୮ ମସିହାର ଘଟଣାବଳୀର ବିଭିନ୍ନ ଦିଗ ଥାଇପାରେ। ଏହି କାରଣରୁ, ଆମେ ଏକ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ କରିଛୁ, ଯେଉଁଠାରେ ଏଥିରେ ଜଡ଼ିତ ବ୍ୟକ୍ତିମାନେ ନିଜର ଦୃଷ୍ଟିକୋଣ ବ୍ୟକ୍ତ କରିପାରିବେ। ବର୍ତ୍ତମାନ ଆମେ ଏହି ମଞ୍ଚ ପାଇଁ ନିୟମାବଳୀ ଏବଂ ପରିସର ନିର୍ଦ୍ଧାରଣ କରୁଛୁ ଏବଂ ଖୁବ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ କରିବୁ।’

Dharitri – Odisha’s No.1 Odia Daily

Share