ବାଲିସାହି, ଲୋକନାଥ ରୋଡ୍‌ ଚଉଡ଼ା ହେବ

ପୁରୀ ଅଫିସ,୧୬।୯: ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବାଲି ସାହି ଓ ଲୋକନାଥ ରୋଡ୍‌ ରାସ୍ତା ଚଉଡ଼ା ହେବା ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ମାପଚୁପ ସହ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ପରେ ଜିଲାପାଳ, ଉପଜିଲାପାଳ, ଓବିସିସି ଅଧିକାରୀ, ସ୍ଥାନୀୟ ପୋଲିସଙ୍କ ଉପସ୍ଥିତିରେ ମାପଚୁପ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ସଶକ୍ତୀକରଣ କରିବା ପାଇଁ ଉଭୟ ସାହିର ରାସ୍ତାକୁ ୪୦ଫୁଟ ଚଉଡ଼ା ରାସ୍ତାରେ ପରିବର୍ତ୍ତନ କରାଯିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ସ୍ଥାନୀୟବାସିନ୍ଦାଙ୍କ ସହମତିରେ ଏହି କାର୍ଯ୍ୟ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ସିଂହଦ୍ୱାରଠାରେ ଠିଆ ହେଲେ ଦେଖାଯିବ ସ୍ବର୍ଗଦ୍ବାର। ପର୍ଯ୍ୟଟକ, ପୁରୀ ସହରବାସୀ ଓ ବାଲିସାହି ବାସିନ୍ଦାଙ୍କୁ ଏଣିକି ଆଉ ଟ୍ରାଫିକ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ। ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ, ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଅମିନ ମାପଚୁପ କରିଥିଲେ।