ଦୁଲୁକୁଛି ବଳରାମପ୍ରସାଦ

ବଅଁରପାଳ,୧୬।୪(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦଠାରେ ଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ୩ ଦିନିଆ ଯାତ୍ରା ଶୁକ୍ରବାରଠାରୁ ଧୁମ୍‌ଧାମରେ ଆରମ୍ଭ ହୋଇଛି। ବିଭିନ୍ନ ବାଦ୍ୟ ବାଜଣାରେ ଗଁା ପ୍ରକମ୍ପିତ ହୋଇଉଠୁଛି। ସକାଳେ ଦେବୀଙ୍କ ପୀଠରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବା ପରେ ଅପରାହ୍ନରେ ଦିଅଁ ଘରୁ ମା’ଙ୍କ ଆଲମକୁ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୀଠସ୍ଥଳୀକୁ ଅଣାଯାଇଥିଲା। ଏହି ସମୟରେ ପାଇକଖେଳ, ଘଣ୍ଟବାଦ୍ୟ, ନାମ ସଂକୀର୍ତ୍ତନ, ଲଉଡ଼ି ଖେଳ, ଘୋଡା ନାଚକୁ ନେଇ ଗଁା ଦୁଲୁକି ଉଠିଥିଲା। ପୀଠସ୍ଥଳୀକୁ ମା’ ଆସିବା ପରେ ପତିଆରଙ୍କୁ ଶୋଭାଯାତ୍ରାରେ ପୀଠକୁ ଅଣାଯାଇଥିଲା। ଏହାପରେ ଉଭାସ୍ଥଳରେ ପୂଜାର୍ଚ୍ଚନା କରାଯାଇଥିଲା। ସାରେ ପୀଠରେ ମାଜଣା ପର୍ବ ଓ ରାତିରେ ବଡ଼ପୂଜା ସମ୍ପନ ହୋଇଥିଲା। ଆଖପାଖ ଅଞ୍ଚଳରୁ ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ଯୋଗ ଦେଇ ମା’ଙ୍କ ଦର୍ଶନ କରିଥିଲେ। ଯାତ୍ରାସ୍ଥଳରେ ମୀନାବଜାର ପଡ଼ିଥିବା ବେଳେ ଡ୍ରାଇଭର ସଂଘ, କୋହିନୁର ୟୁଥ୍‌ କ୍ଲବ ପକ୍ଷରୁ ଦହିସର୍ବତ, ଥଣ୍ଡା ପାନୀୟଜଳ ବଣ୍ଟନ କରାଯାଉଛି। ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଛି।