ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। ଜିଲାର ଲୋଇସିଂହା ବ୍ଲକ୍ ଉପରବାହାଲର ଝିଅ ଚାନ୍ଦିନୀ ଜାଲ୍ ଓଡ଼ିଶା ଜୁନିୟର ବାଳିକା ଖୋ-ଖୋ ଦଳରେ ସ୍ଥାନ ପାଇ ୪୫ତମ ଜୁନିୟର ଜାତୀୟ ଖୋ-ଖୋ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରୁଛନ୍ତି। ନଭେମ୍ବର ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଭଡୋଦରା (ପାରୁଲ ବିଶ୍ୱବିଦ୍ୟାଳୟ) ଠାରେ ଏହି ଜାତୀୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।
ଚାନ୍ଦିନୀଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସମଗ୍ର ବଲାଙ୍ଗୀର ଜିଲା ତଥା କ୍ରୀଡ଼ାପ୍ରେମୀଙ୍କ ପାଇଁ ଏକ ଗର୍ବର ବିଷୟ। ଜାତୀୟ ସ୍ତରରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିବା ଚାନ୍ଦିନୀଙ୍କ ଏହି କ୍ରୀଡ଼ା ଯାତ୍ରା ଜିଲାର ଅନ୍ୟ ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ମଧ୍ୟ ପ୍ରେରଣାଦାୟୀ।
ଏହି ଗୌରବମୟ ସଫଳତା ପାଇଁ ଜିଲା କ୍ରୀଡ଼ା ସଂସଦ, ବଲାଙ୍ଗୀର ପକ୍ଷରୁ ଚାନ୍ଦିନୀ ଜାଲ୍ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ, ଆତ୍ମବିଶ୍ୱାସ ଓ ଖେଳ ପ୍ରତି ସମର୍ପଣ ଓଡ଼ିଶାକୁ ଗୌରବାନ୍ୱିତ କରୁ ଏବଂ ଆଗାମୀ ଦିନରେ ସେ ଆହୁରି ଉଚ୍ଚ ସଫଳତା ହାସଲ କରନ୍ତୁ ବୋଲି ଜିଲା କ୍ରୀଡ଼ା ସଂସଦ ପକ୍ଷରୁ କାମନା କରାଯାଇଛି।