ବଲାଙ୍ଗୀର ପୌର ନିର୍ବାଚନ: ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର ଅଫିସ,୫ା୩: ବଲାଙ୍ଗୀର ପୌର ନିର୍ବାଚନ ପାଇଁ ଉତ୍ସାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ପାଖେଇ ଆସୁଥିବା ବେଳେ ତିନି ପ୍ରମୁଖ ଦଳର ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ସଦ୍ୟ ସମାପ୍ତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଆଶାତୀତ ସଫଳତା ପରେ ପ୍ରତିଦ୍ୱନ୍ଦ୍ୱୀ ଭାଜପା ଓ କଂଗ୍ରେସ ଦଳ କିଭଳି ଭାବେ ପୌର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ତାକୁ ନେଇ ଆଲୋଚନା ଜୋର ଧରିଛି।

ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଦଳୀୟ ଟିକେଟ ସହ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଓ ପତିଆରା ମଧ୍ୟ ପ୍ରାସଙ୍ଗିକ ହେବ ବୋଲି ଆଲୋଚନା ଜୋର ଧରିଛି। ଏଭଳି ପରିସ୍ଥିତିରେ ତିନି ପ୍ରମୁଖ ଦଳ ନିଜ ନିଜ ସ୍ତରରେ ସୁଦକ୍ଷ ପ୍ରାର୍ଥୀ ଚୟନକୁ ପ୍ରାଥମିକତା ଦେଉଥିବା ଜଣାପଡିଛି। ବିଜେଡି ବିଶ୍ୱସ୍ତ ମହଲରୁ ମିଳିଥିବା ସୂଚନା ମୁତାବକ ବେହେରା ପରିବାରର ବୋହୁଙ୍କୁ ବଲାଙ୍ଗୀର ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ରଣାଙ୍ଗନରେ ଉତାରିବାକୁ ଏକରକମ ପ୍ରସ୍ତୁତି ସରିଛି। ଉପର ମହଲରୁ ଏନେଇ ସମ୍ମତି ମିଳିଲେ ସେ ବିଜେଡିର ଅଧ୍ୟକ୍ଷା ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି। ଭାଜପା ପକ୍ଷରୁ ପଣ୍ଡା ପରିବାରର ବୋହୁଙ୍କୁ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ୨୧ ନମ୍ବର ୱାର୍ଡର କାଉନସିଲରଙ୍କ ନାମ ସବୁଠୁ ଅଧିକ ଶୁଣାଯାଉଛି। ଏଭଳି ସ୍ଥଳେ ୭ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ରହିଥିବାରୁ ସହରର ନାଗରିକମାନେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି। ମିଳିଥିବା ସୂଚନା ମୁତାବକ ପୌର ନିର୍ବାଚନ ସକାଶେ ୯ଟି ପୌରାଧ୍ୟକ୍ଷା ପ୍ରାର୍ଥୀ ଆବେଦନପତ୍ର ଓ ୨୧ଟି ୱାର୍ଡ ପାଇଁ ୮୫ଟି କାଉନସିଲର ପ୍ରାର୍ଥୀ ଆବେଦନପତ୍ର ବିକ୍ରୟ ହୋଇସାରିଛି।