ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍ ପାଣି ପଶି ଯାଇଛି। ଏହାସହ ସହରର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିଥିବା ଦେଖାଯାଇଥିଲା ।

ଲଗାଣ ବର୍ଷାରେ ବଲାଙ୍ଗୀର ସହରର ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ଅଗ୍ନିଶମ ଵିଭାଗ ବିଭିନ୍ନ ପଡାରେ ଜଳ ନିଷ୍କାସନ କରୁଥିବା ଦେଖାଯାଇଥିଲା । ସହରର ପାଟଣା ହୋଟେଲ ଛକ, ସମଲେଶ୍ବରୀ ମନ୍ଦିର, ହସ୍ପିଟାଲ ରୋଡ୍, ରେଲୱେ ଷ୍ଟେଶନ ରୋଡ୍, କଦମପଡା ରେଲୱେ ଅଣ୍ଡର ବ୍ରିଜ୍‌, ସୂର୍ଯ୍ୟ ନଗର, ରାଜୀବ ନଗର, ଗାନ୍ଧୀନଗର ଓ ସହରର ବିଭିନ୍ନ ପଡ଼ାରେ ଆଣ୍ଠୁଏରୁ ଉର୍ଦ୍ଧ ପାଣି ରହିଥିଲା। ଅନ୍ୟପକ୍ଷରେ ସହରର ଜବରଦଖଲ ସମସ୍ୟା, ଡ୍ରେନେଜ ଅବ୍ୟବସ୍ଥା ସୁଧାରିବା ଦିଗରେ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ମ୍ୟୁନିସିପାଲିଟି ପକ୍ଷରୁ ଗ୍ରହଣ କରାଯାଇ ନଥିବାରୁ ବର୍ଷା ଜଳ ଘରକୁ ପଶୁଥିବା ନେଇ ଅଭିଯୋଗ ହୋଇଛି ।

ଏ ନେଇ ସହରରେ ବୁଦ୍ଧିଜୀବୀ ମହଲରେ ବେଶ୍ ଆଲୋଚନା ହେଉଛି। ଲୋକେ ସରକାରୀ ରାସ୍ତା ଓ ଡ୍ରେନ୍ ଉପରେ ଜବରଦଖଲ କରି ରଖିଛନ୍ତି । ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ବିଭିନ୍ନ ୱାର୍ଡରେ ରାସ୍ତା ଡ୍ରେନ ନିର୍ମାଣ କରାଯାଉଛି । ହେଲେ ବଲାଙ୍ଗୀର ମ୍ୟୁନିସିପାଲିଟି ସରକାରୀ ଖାତାରେ ଥିବା ନାଳ ଓ ରାସ୍ତା ଉପରୁ ଜବରଦଖଲ ହଟା ନଯାଇ ମନଇଚ୍ଛା ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉଛି । ଯାହାଫଳରେ ବର୍ଷା ଜଳ ନିଷ୍କାସନ ନ ହୋଇ ଲୋକଙ୍କ ଘରେ ପାଣି ପଶିବା ସହିତ ରାସ୍ତା ଉପରେ ବର୍ଷା ଜଳ ଜମି ରହୁଛି ।

ଏବେ ବର୍ଷାଋତୁ ଆରମ୍ଭ ହୋଇଛି । ପ୍ରଥମ ଲଗାଣ ବର୍ଷାରେ ଯେପରି ଭାବେ ଜଳ ପରିଚାଳନା ଅବ୍ୟବସ୍ଥା ଦେଖାଦେଲାଣି, ସେଥିରୁ ଆଗାମୀ ଦିନରେ ଅବସ୍ଥା କ’ଣ ହେବ ସେନେଇ ସହରବାସୀ ଚିନ୍ତାରେ ପଡିଲେଣି।

 

Dharitri – Odisha’s No.1 Odia Daily

Share
Tags: heavy rain