ଆଜ୍ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ ଦୂରେଇ ରହିବାର ଏକ ସହଜ ତଥା ସରଳ ଉପାୟ ରହିଛି। ତାହା ପୁଣି ହାତ ପାଆନ୍ତାରେ। ଯଦି ଜଣେ ନିଜର ଓଜନକୁ ସନ୍ତୁଳିତ ରଖନ୍ତି ତେବେ ସେ ନିଜକୁ ଆଜ୍ମା ସମସ୍ୟାଠାରୁ କେତେକାଂଶରେ ଦୂରେଇ ରଖିପାରିବେ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ‘ଆଜ୍ମା ଏବଂ ସନ୍ତୁଳିତ ଓଜନ’ ଶୀର୍ଷକ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହି ସମୟରେ ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିଜର ଓଜନ ସନ୍ତୁଳିତ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ନିୟମିତ ସମୟ ବ୍ୟବଧାନରେ ଏମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା। ପରିଶେଷରେ ଜଣାପଡ଼ିଲା ଯେ, ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତଙ୍କଠାରେ ଆଜ୍ମା ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ଏହାର ସଂଯୋଗ ଓଜନ ନିୟନ୍ତ୍ରଣ ସହ ରହିଛି ବୋଲି ଉକ୍ତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Dharitri – Odisha’s No.1 Odia Daily

