Categories: ଖେଳ

ବଜରଙ୍ଗଙ୍କୁ ସ୍ବର୍ଣ୍ଣ ସହ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ

ରୋମ୍‌, ୯ା୩ (ପି.ଟି.)-ଆସନ୍ତା ଅଲିମ୍ପିକ୍ସରେ ଭାଗ ନେବାକୁଥିବା ଭାରତୀୟ ରେସ୍‌ଲର ବଜରଙ୍ଗ ପୁନିଆ ଏଠାରେ ଚାଲିଥିବା ମାଟେଓ ପେଲିକୋନ୍‌ ର଼୍ୟାଙ୍କିଙ୍ଗ ସିରିଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବା ସହ ତାଙ୍କ ଟାଇଟଲ ବଜାୟ ରଖିଛନ୍ତି। ୬୫ କେଜି ଶ୍ରେଣୀ ଫାଇନାଲରେ ସେ ମଙ୍ଗୋଲିଆର ଟୁଲ୍‌ଗା ଟୁମୁର ଓଚିରଙ୍କୁ ହରାଇ ଦେଇଛନ୍ତି। ତାଙ୍କର ଏହି ପ୍ରଦର୍ଶନ ପାଇଁ ସେ ବିଶ୍ୱର ର଼୍ୟାଙ୍କିଙ୍ଗର ନମ୍ବର ଓ୍ବାନ ସ୍ଥାନକୁ ଫେରିଛନ୍ତି। କରୋନା ମହାମାରୀ ଯୋଗୁ ୧ବର୍ଷ ବ୍ରେକ୍‌ ପରେ ପ୍ରତିଯୋଗିତାକୁ ଫେରିଥିବା ୨୭ ବର୍ଷୀୟ ବଜରଙ୍ଗଙ୍କ ଲେଗ୍‌ ଡିଫେନ୍ସରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏକ୍ଷେତ୍ରରେ ତାଙ୍କୁ ଆହୁରି ଉନ୍ନତି ଆଣିବାକୁ ପଡ଼ିବ ବୋଲି ଟୋକିଓ ଗେମ୍ସରେ ଏକ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ରେସ୍‌ଲର କହିଛନ୍ତି। ୬୫ କେଜି କାଟେଗୋରିରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥାଏ। ମଙ୍ଗୋଲିଆର ଓଚିର ମଧ୍ୟ ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବଜରଙ୍ଗ ବର୍ତ୍ତମାନ ଜାତୀୟ କ୍ୟାମ୍ପକୁ ଫେରିବେ। କିନ୍ତୁ ଏପ୍ରିଲ ୯ରୁ ୧୧ ପର୍ଯ୍ୟନ୍ତ କାଜାଖସ୍ତାନରେ ହେବାକୁଥିବା ଏସିଆନ ଚାମ୍ପିୟନଶିପ୍‌ ପୂର୍ବରୁ ସେ ବିଦେଶରେ ଟ୍ରେନିଂ ନେବାକୁ ଚାହାନ୍ତି। ଇଭେଣ୍ଟରେ ଭାଗ ନେବା ପୂର୍ବରୁ ବଜରଙ୍ଗ ର଼୍ୟାଙ୍କିଙ୍ଗ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲେ। ମାତ୍ର ବର୍ତ୍ତମାନ ୧୪ ପଏଣ୍ଟ ସହ ସେ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛନ୍ତି।

Share