‘ପଠାନ’ ପୋଷ୍ଟର ଫାଡିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା

ଅହମ୍ମଦାବାଦ୍‌,୫।୧: ଗୁଜରାଟର ଅହମ୍ମଦାବାଦରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ପ୍ରମୋଶନ ସମୟରେ ଉତ୍ତେଜନା ଦେଖାଦେଇଛି। ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ଏକ ମଲ ଭିତରକୁ ଯାଇ ସେଠାରେ ଥିଏଟରକୁ ଭଙ୍ଗାରୁଜା କରିଥିଲେ। ଏହି ସମୟରେ କାର୍ଯ୍ୟକର୍ତ୍ତା ପଠାନ ଫିଲ୍ମର ପୋଷ୍ଟର ମଧ୍ୟ ଫାଡି ଦେଇଥିଲେ। ଫିଲ୍ମ ରିଲିଜ ନ କରିବାକୁ ସେମାନେ ଧମକ ମଧ୍ୟ ଦେଇଛନ୍ତି।
ସୂଚନା ଅନୁଯାୟୀ, ଅହମ୍ମଦାବାଦର ଆଲଫାଓ୍ବାନ ମଲରେ ଅବସ୍ଥିତ ମଲ୍ଟିପ୍ଲେକ୍ସରେ ଫିଲ୍ମ ‘ପଠାନ’ର ପୋଷ୍ଟର ଲଗାଯାଇଥିଲା। ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚି ପୋଷ୍ଟର ଫଶଡିବା ସହ ଭଙ୍ଗାରୁଜା କରିଥିଲେ। ପୋଲିସ ଅଧିକାରୀ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ପାଞ୍ଚଜଣ କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖିଥିଲେ। ପରେ ତାଙ୍କୁ ମୁକ୍ତ କରାଯାଇଥିଲା।
ଭିଏଚପି ମୁଖପାତ୍ର ହିତେନ୍ଦ୍ର ସିଂ ରାଜପୁତ କହିଛନ୍ତି, ଗୁଜରାଟରେ ‘ପଠାନ’ର ସ୍କ୍ରିନିଂକୁ ଆମେ ଅନୁମତି ଦେବୁ ନାହିଁ। ଅହମ୍ମଦାବାଦରେ ଫିଲ୍ମ ରିଲିଜକୁ ଜୋରଦାର ବିରୋଧ କରାଯିବ।
୨୦୨୩ର ବହୁପ୍ରତିକ୍ଷୀତ ଫିଲ୍ମ ପଠାନର ପ୍ରଥମ ଗୀତ ବେଶରମ ରଙ୍ଗ ନିକଟରେ ରିଲିଜ ହୋଇଛି। ଏହା ରିଲିଜ ହେବା ଦିନ ଠାରୁ ପଠାନ ଓ ଗୀତ ବିରୋଧରେ ବୟକଟ ପାର୍ଟି ମାତିଛନ୍ତି। ଉକ୍ତ ଗୀତରେ ଦୀପିକା ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ରୋମାନ୍ସ କରୁଛନ୍ତି। ଏହା ପଦରେ କମଳା ବା ଗେରୁଆ ରଙ୍ଗର ପୋଷାକ ମଧ୍ୟ ରହିଛି। ଗେରୁଆ ରଙ୍ଗର ବ୍ୟବହାର ହୋଇଥିବାରୁ ଏହାକୁ ବିରୋଧ କରାଯାଉଛି।

Share