Categories: ଜାତୀୟ

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଛୁରିରେ ହତ୍ୟା କରାଯାଇଥିଲା। ମୃତ ଯୁବକ ଜଣଙ୍କ ୨୬ ବର୍ଷୀୟ ହର୍ଷ ବୋଲି ଜଣା ପଡିଛି। ଏହାକୁ ହିଜାବ ବିବାଦ ସହ ଯୋଡି ପୋଲିସ ଅନୁସନ୍ଧାନ କରୁଛି। ତେବେ ପୋଲିସ ସିଧାସଳଖ କିଛି କହିବାକୁ ମନା କରିଦେଇଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ରବିବାର ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ପୋଲିସ କହିଛି ଯେ ହର୍ଷ ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ଏକ ପୋଷ୍ଟ ଲେଖିଥିଲେ।
ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପରେ ଶିବମୋଗାରେ ଉତ୍ତେଜନା ବୃଦ୍ଧି ପାଇଛି। ହତ୍ୟା ପରେ ବହୁ କାର୍ଯ୍ୟକର୍ତ୍ତା ଡାକ୍ତରଖାନାରେ ପହଞ୍ଚି ଏହି ଘଟଣାର ବିରୋଧ ଆରମ୍ଭ କରିଥିଲେ। ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସମଗ୍ର ଶିବମୋଗାରେ ଧାରା ୧୪୪ ଲାଗୁ କରାଯାଇଛି। ବିଦ୍ୟାଳୟ ଓ କଲେଜଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଏହି ସମୟରେ କର୍ନାଟକର ଗୃହମନ୍ତ୍ରୀ ଅରାଗା ଜୟନେନ୍ଦ୍ର ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ବଜରଙ୍ଗ ଦଳ କର୍ମୀଙ୍କ ହତ୍ୟା ପଛରେ ଚାରିରୁ ପାଞ୍ଚ ଜଣ ଯୁବକଙ୍କର ହାତ ଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତମାନେ କୌଣସି ସଂସ୍ଥାରୁ ଆସିଛନ୍ତି ନା ନାହିଁ, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share