Categories: ଜାତୀୟ

ଚାଇନା ସୈନ୍ୟଙ୍କ ମୁକାବିଲା ପାଇଁ ବଜ୍ର, ତ୍ରିଶୂଳ

ନୂଆଦିଲ୍ଲୀ, ୧୯।୧୦: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତବର୍ଷ ଜୁନ୍‌ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା, ଯେଉଁଥିରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷରେ ଚାଇନା ସୈନ୍ୟ ଅଣମାରାତ୍ମକ ଅସ୍ତ୍ର ବ୍ୟବହାର କରିଥିଲେ। ଆଗାମୀ ଦିନରେ ଏଭଳି ସଂଘର୍ଷ ହେଲେ ଚାଇନା ସୈନ୍ୟଙ୍କୁ ମୁକାବିଲା କରିବା ଲାଗି ସେହିଭଳି ଅସ୍ତ୍ର ପ୍ରସ୍ତୁତ ହୋଇଛି। ଉତ୍ତରପ୍ରଦେଶ ନୋଏଡାର ଏକ କମ୍ପାନୀ ପ୍ରସ୍ତୁତ କରିଥିବା ବଜ୍ର, ତ୍ରିଶୂଳ, ଦଣ୍ଡ, ଭଦ୍ରା ଆଦି ଅସ୍ତ୍ର ଦ୍ୱାରା ଭାରତୀୟ ଯବାନ ଚାଇନା ପ୍ରତିପକ୍ଷଙ୍କୁ ଠିକଣା ଜବାବ ଦେଇପାରିବେ। ମେକ୍‌ ଇନ୍‌ ଇଣ୍ଡିଆ ଇନିସିଏଟିଭ୍‌ରେ ନୋଏଡାର ଆପାଷ୍ଟେରନ କମ୍ପାନୀ ସୈନ୍ୟବାହିନୀ ପାଇଁ ଉକ୍ତ ଅସ୍ତ୍ର ପ୍ରସ୍ତୁତ କରିଛି।
ସହାୟତାରେ କାର୍ଯ୍ୟ କରିବାକୁ ଥିବା ତ୍ରିଶୂଳ ପାଇଁ ଯବାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଏଥିରେ ଥିବା ଇଲେକ୍ଟ୍ରିକ୍‌ କରେଣ୍ଟ ସିଷ୍ଟମ ଯୋଗୁ ଶତ୍ରୁ ପକ୍ଷ ସୈନ୍ୟଙ୍କୁ ଶକ୍ତ ବିଦ୍ୟୁତ ଝଟ୍‌କା ଲାଗିବ। ସେହିପରି ବଜ୍ର ହେଉଛି ବ୍ୟାଟେରି ଚାଳିତ ଏକ ଧାତବ ଦଣ୍ଡ। ଏହା ମଧ୍ୟ ଶତ୍ରୁ ପକ୍ଷଙ୍କୁ ବିଦ୍ୟୁତ୍‌ ଝଟ୍‌କା ଦେବ। ଏଥିରେ ରହିଥିବା କଣ୍ଟା ଦ୍ୱାରା ଶତ୍ରୁ ପକ୍ଷର ଗାଡ଼ିକୁ ପଙ୍କ୍‌ଚର କରାଯାଇପାରିବ ଓ ଶତ୍ରୁଙ୍କୁ କିଛି ସମୟ ପାଇଁ ଅଚେତ କରିଦେବ। ସେହିପରି ଅନ୍ୟ ଏକ ଅସ୍ତ୍ର ହେଲା ସାପର୍‌ ପଞ୍ଚ୍‌। ମୁଷ୍ଟିଯୁଦ୍ଧ ବେଳେ ଏହି ବିଦ୍ୟୁତଚାଳିତ ଗ୍ଲୋଭ୍ସକୁ ପିନ୍ଧି ଶତ୍ରୁ ସୈନ୍ୟଙ୍କୁ ଆଘାତ କରାଯାଇପାରିବ। ଅନ୍ୟ ଏକ ଅସ୍ତ୍ର ହେଉଛି ବ୍ୟାଟେରି ଚାଳିତ ଦଣ୍ଡ। ଏହାକୁ ଶତ୍ରୁ ପକ୍ଷ ଛଡ଼ାଇନେଲେ ମଧ୍ୟ ନିରାପତ୍ତା ସୁଇଚ୍‌ ବିନା ବ୍ୟବହାର କରିପାରିବ ନାହିଁ। ସେହିପରି ଭଦ୍ରା ହେଉଛି ସ୍ବତନ୍ତ୍ର ପ୍ରକାର ଢାଲ ଯାହା ଯବାନମାନଙ୍କୁ ପଥର ମାଡ଼ରୁ ରକ୍ଷା କରିପାରିବ। ଏଥିରୁ ବାହାରୁଥିବା ଆଲୋକ ପ୍ରଭାବରେ ଶତ୍ରୁ ସୈନ୍ୟ କିଛି ସମୟ ପାଇଁ ଦୃଷ୍ଟିଶକ୍ତି ହରାଇବେ। ଏଥିରେ ଥିବା ବିଦ୍ୟୁତ୍‌ କରେଣ୍ଟରେ ସେମାନଙ୍କୁ ଆଘାତ ଦିଆଯାଇପାରିବ। ଏହି ଅସ୍ତ୍ରଗୁଡ଼ିକ ଜଳନିରୋଧୀ ଏବଂ ବିଦ୍ୟୁତ୍‌ ଦ୍ୱାରା ଚାର୍ଜ କରାଯିବ।

Share