ବିପଦ ସଙ୍କେତ ଉପରେ ବୈତରଣୀ

ଯାଜପୁର ଅଫିସ,୨୭ା୫: ବାତ୍ୟା ୟାସ୍‌ ଯୋଗୁ ଯାଜପୁର ଜିଲା ସମେତ ଉପରମୁଣ୍ଡ କେନ୍ଦୁଝର ଜିଲାରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଫୁଲି ଉଠିଛି। ବୈତରଣୀର ଉପରମୁଣ୍ଡ ଆନନ୍ଦପୁରଠାରେ ଗତ ୨ ଦିନରେ ପ୍ରାୟ ୮୫ ମି.ମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲାରେ ହାରାହାରି ୧୭୧ ମି.ମି ବର୍ଷା ରେକର୍ଡ କରାଯାଇଛି। ଫଳରେ ବୈତରଣୀ ନଦୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ଅପରାହ୍ନ ୫ଟା ସୁଦ୍ଧା ୩୯.୩୮ ମିଟର, ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ସ୍ଥଳେ ୧୮.୬୯ ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବଲ୍ଲଭିଘାଟରେ ବିପଦ ସଙ୍କେତ ୧୩.୩୪ ମିଟର ଥିବା ବେଳେ ୧୨.୬୦ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଦଶରଥପୁରରେ ବିପଦ ସଙ୍କେତ ୯.୫୨ ଥିବା ବେଳେ ୯.୩୦ ମିଟର ବନ୍ୟାଜଳ ପ୍ରବାହିତ ହେଉଛି ା ଏହାଦ୍ୱାରା ବୈତରଣୀର ଯାଜପୁର ଜିଲା ନଦୀ ତଟବର୍ତ୍ତୀ କୋରେଇ, ଦଶରଥପୁର ଓ ଯାଜପୁର ବ୍ଲକବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଗୁରୁବାର ବର୍ଷା ହୋଇ ନ ଥିବାରୁ ବନ୍ୟା ଆଶଙ୍କା ଟଳି ଯାଇପାରେ ବୋଲି ଆଶା କରାଯାଉଛି।