ବୈଭବ ଗୁପ୍ତା ଇଣ୍ଡିଆନ ଆଇଡଲ ବିଜେତା

ମୁମ୍ବାଇ,୪ା୩:ସଙ୍ଗୀତଭିତ୍ତିକ ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ୍‌ର ଚତୁର୍ଦ୍ଦଶ ସଂସ୍କରଣରେ ବୈଭବ ଗୁପ୍ତାଙ୍କୁ ବିଜେତା ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ସେ ନିଜର ଏକ ମ୍ୟୁଜିକ୍‌ ଷ୍ଟୁଡିଓ ଖୋଲିବେ ବୋଲି କାନପୁରର ଉଦୀୟମାନ ଯୁବ କଣ୍ଠଶିଳ୍ପୀ କହିଛନ୍ତି। ଶୁଭଦୀପ ଦାସ ଚୌଧୁରୀ ପ୍ରଥମ ଏବଂ ପୀୟୂଷ ପନଓ୍ବାରଙ୍କୁ ଦ୍ୱିତୀୟ ରନର୍ସ ଅପ୍‌ ଘୋଷଣା କରାଯାଇଛି। ଉଭୟ ରନର୍ସଅପ୍‌ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯାଇଥିବାବେଳେ ତୃତୀୟ ରନରଅପ୍‌ ଅନନ୍ୟା ପଲ୍‌ଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟ ୨ ଫାଇନାଲିଷ୍ଟ ହେଲେ ଅଞ୍ଜନା ପଦ୍ମନାଭନ୍‌ ଓ ଆଦ୍ୟା ମିଶ୍ରା। ଶୋ’ର ପ୍ରଥମ ୩ଟି ସିଜନରେ ଜଜ୍‌ ଥିବା ଜଣାଶୁଣା କଣ୍ଠଶିଳ୍ପୀ ସୋନୁ ନିଗମ ଏହି ଘୋଷଣା କରିଛନ୍ତି। ହୁସେନ ଉଜେରଓ୍ବାଲା ମଞ୍ଚ ପରିଚାଳନା କରିଥିବାବେଳେ ଏଥର ବିଶାଳ ଦଦଲାନି ଜଜ୍‌ ଦାୟିତ୍ୱ ତୁଲାଇଥିଲେ। ସେହିପରି ହିମେଶ ରେଶମିୟାଙ୍କ ସ୍ଥାନରେ ବିଚାରପତି ଭବେ ଯଥାକ୍ରମେ କୁମାର ସାନୁ ଏବଂ ଶ୍ରେୟା ଘୋଷାଲଙ୍କୁ ନିଆଯାଇଥିଲା। ବିଜେତା ହେବା ପରେ ବୈଭବ ଖୁସିବ୍ୟକ୍ତ କରି ତାଙ୍କ ଉପରେ ଭରସା ରଖିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share