Categories: ଖେଳ

ବ୍ୟାଡ଼ମିଣ୍ଟନ ଖେଳାଳି ବିକୁଛନ୍ତି ଚା’

ଲକ୍ଷ୍ନୌ, ୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଲକ୍‌ଡାଉନ୍‌ ଜାତୀୟସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳାଳି ମୁକୁଲ ତିଓ୍ବାରୀଙ୍କ ଜୀବନରେ ବଡ଼ଧରଣର ପରିବର୍ତ୍ତନ ଆଣିଛି। ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ମୁକୁଲ ନୀଳ ଟି ଶର୍ଟ ପିନ୍ଧି ତାଙ୍କ ବାପା ରାମବିଳାସ ତିଓ୍ବାରୀଙ୍କ ଚା’ ଦୋକାନରେ କାମ କରୁଛନ୍ତି। ଲୋକଙ୍କୁ ଚା’ ବିକ୍ରି କରି ଏବେ ଘର ଚଳୁଥିବା ସେ କହିଛନ୍ତି। ୧୮ ବର୍ଷ ବୟସ୍କ ମୁକୁଲ ରାଜ୍ୟ ତଥା ଜାତୀୟସ୍ତରୀୟ ବ୍ୟାଡ଼ମିଣ୍ଟନରେ ବେଶ୍‌ ସଫଳ ରହିଛନ୍ତି। ମାତ୍ର ବର୍ତ୍ତମାନର ପରିସ୍ଥିତି ଯୋଗୁ ସେ ସ୍ଥାନୀୟ ଗୌମତୀ ନଗରଠାରେ ଥିବା ବାବୁ ବନାରସୀ ଦାସ ବ୍ୟାଡ଼ମିଣ୍ଟନ ଏକାଡ଼େମୀ ଆଗରେ ଚା’ ବିକ୍ରି କରୁଛନ୍ତି। ତାଙ୍କୁ ୮ ବର୍ଷ ହୋଇଥିବାବେଳେ ସେ ଏହି ଏକାଡ଼େମୀରେ ୨୦୧୦ରେ ଭର୍ତ୍ତି ହୋଇଥିଲେ। କୋଚ୍‌ ପି.କେ. ଭଣ୍ଡାରୀଙ୍କ ଦ୍ୱାରା ମୁକୁଲଙ୍କ ତାଲିମ ଆରମ୍ଭ ହୋଇଥିଲା। ବଡ଼ ଭଉଣୀ ପୂଜା ମଧ୍ୟ ଏକାଡ଼େମୀରେ ତାଲିମ୍‌ ନେବାକୁ ଆରମ୍ଭ କରିଥିଲେ। ଏହାପରେ ରାଜ୍ୟ ଏବଂ ଜାତୀୟସ୍ତରରେ ମୁକୁଲଙ୍କ ଖ୍ୟାତି ବଢ଼ିଚାଲିଥିଲା।

Share