ବଡ଼ଗୁଡ଼ା ସାହିକୁ ଭରସା କାଠପୋଲ

ବିଶୋଇ,୨୦।୮(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ ସରକାରୀ ସୁବିଧାରୁ ବଞ୍ଚିତ। ନଦୀରେ ପାଣି ଯୋଗୁ ଏହି ବ୍ଲକ ଅଧୀନ ବଡ଼ମଣଦା ପଞ୍ଚାୟତର ଆହ୍ଲାପାଣି ଗ୍ରାମରୁ ବଡ଼ଗୁଡ଼ା ସାହିକୁ ଯାତାୟାତ କ୍ଷେତ୍ରରେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଈରେ ପୋଲ ନ ଥିବାରୁ ବଡ଼ଗୁଡ଼ା ସାହି ବାସିନ୍ଦା ବାହ୍ୟଜଗତରୁ ବିଛିନ୍ନ ହୋଇ ପଡ଼ିଛନ୍ତି। ଲୋକେ ନିଜ ପ୍ରଚେଷ୍ଟାରେ ଏକ କାଠପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳିଛି।
ସୂଚନାଥାଉକି, ବଡ଼ଗୁଡା ସାହିରେ ଦୀର୍ଘ ବର୍ଷ ଧରି ଖଡ଼ିଆ ଓ ତନ୍ତି ସମ୍ପ୍ରଦାୟର ୩୦ ପରିବାରର ୧୨୦ରୁ ଊଦ୍ଧର୍‌ବ ଲୋକ ବସବାସ କରି ଆସୁଛନ୍ତି। ତେବେ,ମୁଖ୍ୟ ରାସ୍ତା ୪୯ନଂ. ଜାତୀୟ ରାଜପଥରୁ ଆହ୍ଲାପାଣି ଗ୍ରାମ ପର୍ଯ୍ୟନ୍ତ ପିଚୁ ହୋଇଛି। ଆହ୍ଲାପାଣି ଗ୍ରାମରୁ ୧ କି.ମି. ପର୍ଯ୍ୟନ୍ତ ବଡ଼ଗୁଡ଼ା ସାହିକୁ ଏକ ମାଟି ନିର୍ମିତ କଚା ରାସ୍ତା ସଂଯୋଗ କରିଛି। ଏହି କଚା ରାସ୍ତା ମଝିରେ ‘କାଶୀଦା-ବଡ଼ଗୁଡା’ନଈ ରହିଛି। ମାତ୍ର, ପରିତାପର ବିଷୟ ଏହି ନଈକୁ ପାର ହେବା ପାଇଁ କୌଣସି ପୋଲ ନିର୍ମାଣ ହୋଇନାହିଁ। ଜରୁରୀ ପରିସ୍ଥିତିରେ ବଡ଼ଗୁଡ଼ା ସାହିକୁ ୧୦୮ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯାଇପାରେ ନାହିଁ। ଅନ୍ୟ ଦିନ ମାନଙ୍କରେ ଏହି ନଦୀ ଦେଇ ଲୋକେ କୌଣସି ମତେ ପାର ହୋଇଯାଉଥିବା ବେଳେ ବର୍ଷା ଦିନରେ ପ୍ରଖର ଜଳସ୍ରୋତ ଯୋଗୁ ନଦୀ ପାର ହେବା କଷ୍ଟକର ହୋଇପଡ଼େ। ତେଣୁ,ବର୍ଷା ଦିନରେ ବଡ଼ଗୁଡା ସାହି ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇପଡ଼େ। ଏହି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବଡ଼ଗୁଡ଼ା ସାହି ବାସିନ୍ଦା ପୂର୍ବରୁ ବ୍ଲକ ପ୍ରଶାସନ ଓ ଜନପ୍ରତିନିଧିଙ୍କଠାରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ଯଥାଶୀଘ୍ର ଆହ୍ଲାପଣି ଗ୍ରାମରୁ ବଡ଼ଗୁଡା ସାହିକୁ ଏକ ରାସ୍ତା ନିର୍ମାଣ ସହିତ ନଦୀରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସାହି ବାସିନ୍ଦା ଦାବି କରିଛନ୍ତି।