ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି ପୁରାତନ ବିଦ୍ୟାଳୟଟି ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିଲେ ବି ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ଅଳ୍ପ ଦିନ ମଧ୍ୟରେ ଛାତରୁ ପାଣି ଝରିବା ସହ ପ୍ଲାଷ୍ଟର ଖସୁଛି।
ବିଦ୍ୟାଳୟରେ ବାଳବାଟିକାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୩୯୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକରେ ୨୫୦ରୁ ଊର୍ଦ୍ଧ୍ୱ ପିଲା ଅଛନ୍ତି। ମାତ୍ର ୨ଟି ଶ୍ରେଣୀଗୃହ ଥିବାରୁ ଏକାଧିକ ଶ୍ରେଣୀର ପିଲାଙ୍କୁ ଏକାଠି ବସାଯାଉଛି।
ହିନ୍ଦୀ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଶିକ୍ଷକଙ୍କୁ ଚମ୍ପାଚୁଆଁକୁ ଡେପୁଟେସନରେ ପଠାଯାଇଥିବାରୁ ମାତ୍ର ୨ଜଣ ବିଷୟ ଶିକ୍ଷକଙ୍କ ଭରସାରେ ଚାଲିଛି ପାଠପଢ଼ା। ସ୍କୁଲର ନିଜସ୍ବ ବୋରିଂ ନ ଥିବାରୁ କେବଳ ବସୁଧା ଯୋଜନାର ଅନିୟମିତ ଜଳ ଯୋଗାଣ ଉପରେ ନିର୍ଭର କରିବାକୁ ପଡ଼ୁଛି। କମ୍ପ୍ୟୁଟର ଥାଇ ବି ତାଲିମ ଶିକ୍ଷକ ଅଭାବରୁ ପିଲାମାନେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
ଛାତରୁ ପାଣି ଗଳି ୩ରୁ ୮ଟି ବେଞ୍ଚ ଭିଜିଯାଉଥିବାରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେବ୍ୟାଘାତ ସୃଷ୍ଟି ହେଉଛି। ପାଣି ଜମିବା ଯୋଗୁ ନିଜେ କ୍ଲାସରୁମ ପୋଛିବାକୁ ପଡୁଥିବା ନେଇ ଦଶମ ଶ୍ରେଣୀ ଛାତ୍ରୀ ହିମାନ୍ଦ୍ରି ନାଏକ, ନ୍ୟୁତି ନାଏକ ଏବଂ ଛାତ୍ର ଉପେନ୍ଦ୍ର ମାଝୀ, ବବ୍ଲୁ ନାଏକ ପ୍ରକାଶ କରିଛନ୍ତି।
ବିଭାଗୀୟ ଅଧିକାରୀ ସମସ୍ୟା ସମ୍ପର୍କରେ ଅବଗତ ଥିବା ସୁଦ୍ଧା ସମାଧାନ ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଛାତ ମରାମତି, ଅତିରିକ୍ତ ଶ୍ରେଣୀଗୃହ, ସ୍ଥାୟୀ ପାନୀୟ ଜଳ ବ୍ୟବସ୍ଥା, କମ୍ପ୍ୟୁଟର ଶିକ୍ଷକ ଓ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ପାଇଁ ପ୍ରଧାନ ଶିକ୍ଷକ ସୁବ୍ରତ ପ୍ରଧାନ ଏବଂ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।