ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମର ବଡ ଯାଆ ସଙ୍ଗୀତା ସାଇଁଙ୍କୁ ତାଙ୍କ ସାନ ଯା’ ଅମି ସାଇଁ ଯୋଜନାବଦ୍ଧ ଭାବେ ଗତ ୨୦୨୧ ମସିହା ମେ ମାସ ୨୧ ତାରିଖରେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ମାମଲାର ବିଚାରଣ କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଅମି ସାଇଁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଦୁଇ ଯାଆ ମଧ୍ୟରେ ଭଲ ସମ୍ପର୍କ ନ ଥିଲା। ତେଣୁ ମଝିରେ ମଝିରେ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଘଟଣା ଦିନ ଅମି ସଙ୍ଗୀତାଙ୍କ ଲୁଗାରେ ଯୋଜନାବଦ୍ଧ ଭାବେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସଙ୍ଗୀତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ ମାସ ୩ ତାରିଖରେ ସଙ୍ଗୀତା ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ମୃତ୍ୟୁବରଣ କରିଥିଲେ। ସେ ସମୟରେ ସଙ୍ଗୀତାଙ୍କ ମା’ଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅମିଙ୍କୁ ଜୁଲାଇ ମାସ ୨୪ ତାରିଖରେ
ଗିରଫ କରିଥିଲେ। ଅମି ସେବେଠୁ ଜେଲରେ ବନ୍ଦୀ ଜୀନ ବିତାଉଥିବାବେଳେ ଆଜି ଜେଲରୁ ମୁକୁଳିଛନ୍ତି। ମୁଦଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଅନିତା ପଣ୍ତା, ଅଶୋକ ଗୌଡ଼, ଧ୍ରୁବ ତ୍ରିପାଠୀ, ପିତବାସ ବିଷୋୟୀ ପ୍ରମୁଖ ମାମଲା ପରିଚାଳନା କରୁଥିଲେ।