ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ମଝିରେ ଟିମ୍‌ଇଣ୍ଡିଆ ପାଇଁ ଆସିଲା ଖରାପ ଖବର: ବଢିଲା ଆଶଙ୍କା

ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳକୁ ଲାଗିଛି ବଡ଼ ଝଟକା। ଆହତ ସମସ୍ୟାରୁ ମୁକୁଳି ନଥିବା ଷ୍ଟାର ଉଇକେଟକିପର ବ୍ୟାଟର ଋଷଭ ପନ୍ତ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ତଥା ଶେଷ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରୁ ମଧ୍ୟ ବାଦ ପଡ଼ିଛନ୍ତି। ସାଇଡ ଷ୍ଟ୍ରେନ୍‌ରେ ପୀଡ଼ିତ ପନ୍ତଙ୍କୁ ଏହି ମ୍ୟାଚ୍‌ରେ ନ ଖେଳାଇବାକୁ ଏହା ଏକ ସତର୍କତାମୂଳକ ପଦକ୍ଷେପ ବୋଲି ଜଣାପଡ଼ିଛି। ଫଳରେ ନଭେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା ବଢ଼ିଛି।
ଋଷଭ ପନ୍ତ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ପ୍ରଥମ ଦୁଇଟି ଅନଅଫିସିଆଲ ଟେଷ୍ଟ ମ୍ୟାଚ୍‌ରୁ ମଧ୍ୟ ବାଦ ପଡ଼ିଥିଲେ। ଇରାନୀ କପ ସମୟରେ ତାଙ୍କୁ ସାଇଡ ଷ୍ଟ୍ରେନ ସମସ୍ୟା ହୋଇଥିଲା। ଏହା ପରଠାରୁ ସେ କ୍ରିକେଟ ମଇଦାନରୁ ଦୂରେଇ ରହିଛନ୍ତି। ଟେଷ୍ଟ ସିରିଜ ପୂର୍ବରୁ ମ୍ୟାଚ ଅଭ୍ୟାସ କରିବାର ସୁଯୋଗ ହରାଇବା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ପନ୍ତ ନେଟ୍ସରେ ସ୍କିଲ ଟ୍ରେନିଂ ଆରମ୍ଭ କରିଛନ୍ତି। ବର୍ତ୍ତମାନ ତାଙ୍କୁ କୌଣସି ପ୍ରକାର ଯନ୍ତ୍ରଣା ମଧ୍ୟ ଅନୁଭବ ହେଉନାହିଁ। ତଥାପି ତାଙ୍କୁ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରାଇବା ପାଇଁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇନାହିଁ।

ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ପନ୍ତଙ୍କ ପାଇଁ ଟେଷ୍ଟ ସିରିଜ ପ୍ରସ୍ତୁତିର ଏକ ବଡ଼ ସୁଯୋଗ ଥିଲା। ଏହି ମ୍ୟାଚ ଜରିଆରେ ସେ ଦୀର୍ଘ ଫର୍ମାଟ୍‌ରେ ନିଜର ଲୟ ଏବଂ ମ୍ୟାଚ ଫିଟନେସ ଫେରାଇ ପାରିଥାନ୍ତେ। କିନ୍ତୁ ଲଗାତାର ତିନିଟି ମ୍ୟାଚ୍‌ରୁ ବାଦ ପଡ଼ିବା ପରେ ତାଙ୍କ ପାଖରେ ଅଭ୍ୟାସ ପାଇଁ ସମୟ ବହୁତ କମ ରହିଛି।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍‌ର ସିରିଜ ନଭେମ୍ବର ୧୯ରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ୱେଲିଂଟନ୍‌ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ପନ୍ତଙ୍କ ଫିଟନେସ ଉପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟର ନଜର ରହିବ। ଉଲ୍ଲେଖଯୋଗ୍ୟ, ଋଷଭ ପନ୍ତ ବର୍ତ୍ତମାନ କେବଳ ଟେଷ୍ଟ ଫର୍ମାଟ୍ରେ ଭାରତୀୟ ଦଳ ପାଇଁ ଖେଳୁଛନ୍ତି। ସୀମିତ ଓଭର କ୍ରିକେଟ୍‌ରେ ସେ ଦଳରେ ନିଜ ସ୍ଥାନ ହରାଇଛନ୍ତି। ତେଣୁ ଟେଷ୍ଟ ଦଳରେ ତାଙ୍କ ଉପସ୍ଥିତି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

 

Dharitri – Odisha’s No.1 Odia Daily

 

Share