ଚାରା ଉତ୍ପାଦନରେ ପଛୁଆ

ରାଉରକେଲା ଅଫିସ,୩।୫: ରାଉରକେଲା ପାନପୋଷ ମଣି କଲୋନୀରେ ଉଦ୍ୟାନ କୃଷି ବିଭାଗ ଅଧୀନରେ ଥିବା ଚାରା ଉତ୍ପାଦନ ଫାର୍ମକୁ ଆବଶ୍ୟକ ଆର୍ଥତ୍କ ଅନୁଦାନ ମିଳୁନାହିଁ। ଫଳରେ ଫାର୍ମରେ ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ଚାରା ଉତ୍ପାଦନ ହୋଇପାରୁନାହିଁ।
ସୂଚନା ଅନୁସାରେ, ପାନପୋଷ ମଣି କଲୋନୀରେ ରାଉରକେଲା ସହକାରୀ ଉଦ୍ୟାନ କୃଷି ବିଭାଗ ଅଧୀନ ୩୦ ଏକର ଜମି ପରିମିତ ଏକ ଫାର୍ମ ରହିଛି। ଫାର୍ମରେ ଆମ୍ବ, ଲେମ୍ବୁ, ଅମୃତଭଣ୍ଡା, ସଜନା, ପିଜୁଳି ଆଦି ବୃକ୍ଷ ଚାରା କରାଯାଉଛି। ମାତ୍ର ଅନୁଦାନ ଅଭାବରୁ ୨ବର୍ଷ ହେଲା ଫାର୍ମରେ ଥିବା ପଲିହାଉସ, ଓ୍ବାର୍କିଂ ସେଡ୍‌ ଏବଂ ସେଡ୍‌ ନେଟ୍‌ ଆଦିର ଉନ୍ନତୀକରଣ ହୋଇପାରୁନାହିଁ। ଫଳରେ ସରକାରଙ୍କ ନିର୍ଦ୍ଧାରିତ ଚାରା ଉପତ୍ାଦନ ଲକ୍ଷ୍ୟ ଧାର୍ଯ୍ୟ ସମୟରେ ପୂରଣ କରିପାରୁନି ଏହି ବିଭାଗ। ରାଉରକେଲା ସହକାରୀ ଉଦ୍ୟାନ କୃଷି ବିଭାଗ ଅଧୀନରେ ରାଉରକେଲା, ନୂଆଗଁା, କୁଆଁରମୁଣ୍ଡା, ବିଶ୍ରା ଏବଂ ଲାଠିକଟା ଆଦି ୫ଟି ଉଦ୍ୟାନ କୃଷି ଫାର୍ମ ରହିଛି। ତେବେ ଆର୍ଥିକ ଅନୁଦାନ ମିଳୁ ନ ଥିବାରୁ ଏହି ସବୁ ଫାର୍ମ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବିଭାଗୀୟ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ଫାର୍ମରେ ୮୧୦ ଆମ୍ବ, ୨୭୫ ପିଜୁଳି ଓ ୧୦ ଲିଚୁ ଗଛ ଲଗାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଉରକେଲା ସହକାରୀ ଉଦ୍ୟାନ ବିଭାଗକୁ ୬୦ହଜାର ଆମ୍ବ ଚାରା, ୩୮ହଜାର ଲେଖାଏ ଅମୃତଭଣ୍ଡା, ସଜନା ଓ ଲେମ୍ବୁ ଚାରା ପ୍ରସ୍ତୁତ କରିବା ପାଇଁ ଟାର୍ଗେଟ ମିଳିଛି। ଏଯାଏ ୧୫ ହଜାର ଲେଖାଏ ଲେମ୍ବୁ, ଅମୃତଭଣ୍ଡା, ସଜନା ଏବଂ ୪୦ହଜାର ଆମ୍ବଚାରା ପ୍ରସ୍ତୁତ ହୋଇପାରିଛି। ଏଣୁ ଆର୍ଥିକ ଅନୁଦାନ ମିଳିଲେ ଧାର୍ଯ୍ୟ ସମୟରେ ବିଭିନ୍ନ ଚାରା ପ୍ରସ୍ତୁତୀକରଣ ଓ ସଂରକ୍ଷଣ କରାଯାଇପାରିବ। ଏ ନେଇ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଦୁଷ୍ମନ୍ତ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ ଚାଲିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବ୍ୟୟବରାଦ ରାଶି ଅନୁମୋଦନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନୁଦାନ ମିଳିଲେ ପୁନରୁଦ୍ଧାର କାମ ଶୀଘ୍ର ହେବ ବୋଲି ବେହେରା କହିଥିଲେ।