ଅନ୍ତୁଡ଼ିଶାଳରେ ଅଣଦେଖା

ଢେଙ୍କାନାଳ ଅଫିସ, ୨୯।୮: ହକିର ହୃତଗୌରବ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରୟାସରେ ଅଲିମ୍ପିକ୍‌ରେ ଦୀର୍ଘବର୍ଷ ପରେ ଭାରତୀୟ ପୁରୁଷ ଦଳ ପଦକ ଜିତିବା ହକିର ସ୍ବର୍ଣ୍ଣିମ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଏହି ପୁରାତନ ପ୍ରସିଦ୍ଧ କ୍ରୀଡ଼ାର ବିକାଶ ପାଇଁ କେଉଁଠି ନୂତନ ଷ୍ଟାଡିୟମ ନିର୍ମାଣ କରାଯାଉଛି ତ ଅନ୍ୟ କେଉଁଠି ଖେଳାଳିଙ୍କୁ ଦିଆଯାଉଛି ଉନ୍ନତ ପ୍ରଶିକ୍ଷଣ। ହେଲେ ହକି ପାଇଁ ସ୍ବତନ୍ତ୍ର ପଡ଼ିଆ ନ ଥିବାରୁ ଢେଙ୍କାନାଳର ଖେଳାଳିମାନେ ପାଣିକାଦୁଅରେ ଅଭ୍ୟାସ କରିବା ଜିଲାରେ ଏହି କ୍ରୀଡ଼ାର ଭବିଷ୍ୟତକୁ ସନ୍ଦିହାନ କରିଦେଇଛି।
ଢେଙ୍କାନାଳରେ ଉତ୍ସାହୀ ହକି କ୍ରୀଡ଼ାବିତ୍‌ଙ୍କ ଅଭାବ ନାହିଁ। ବିଶେଷ କରି ଜିଲା ସଦରରେ ଏହାକୁ ନେଇ ଯୁବ ଖେଳାଳିଙ୍କ ମଧ୍ୟରେ ରହିଛି ସ୍ବତନ୍ତ୍ର ଝୁଙ୍କ୍‌। ତେବେ ହକି ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ପଡ଼ିଆର ଅଭାବ ଅନୁଭୂତ ହେଉଛି। ସେହିପରି ଚେଞ୍ଜିଂ ରୁମ୍‌ ନ ଥିବାରୁ ଏହା ଅନ୍ୟ ଏକ ପ୍ରମୁଖ ସମସ୍ୟା ପାଲଟିଛି। ସ୍ଥାନୀୟ ମିନି ଷ୍ଟାଡିୟମଠାରେ ହକି ଖେଳାଳିଙ୍କ ନିୟମିତ ଅଭ୍ୟାସରେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବାଧକ ସାଜୁଛି। ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ବର୍ଷାଦିନେ ଖେଳାଳିମାନେ ପାଣିକାଦୁଅରେ ଘାଣ୍ଟି ହେଉଛନ୍ତି। ଜିଲାରେ ହାଇସ୍କୁଲ, କଲେଜସ୍ତରରେ ପ୍ରତିଭାବାନ ଖେଳାଳି ସୃଷ୍ଟି ଲାଗି ଯଥେଷ୍ଟ ସୁଯୋଗ ରହିଛି। ଢେଙ୍କାନାଳ ସଦର ସମେତ କାମାକ୍ଷାନଗର ଉପଖଣ୍ଡର ପଣ୍ଡୁଆ, ସଦର ବ୍ଲକର ନାଗିଆପଶି, କନ୍ଧପଡା, ଜଙ୍ଖିରା ଗ୍ରାମରେ ପ୍ରତିଭାବାନ ଖେଳାଳି ସୃଷ୍ଟି ହେଉଛନ୍ତି। ଜିଲାରେ ଏଭଳି ପ୍ରତିଭାଧରଙ୍କ ସଂଖ୍ୟା ପ୍ରାୟ ୨୨୦। ସେମାନଙ୍କୁ ନୂତନ ଟେକ୍‌ନିକ୍‌, ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ଲାଗି ଅଷ୍ଟ୍ରୋଟର୍ଫ ଭଳି ପଡ଼ିଆ ଲୋଡ଼ା। ବାରମ୍ବାର ଦାବି ସତ୍ତ୍ୱେ ଏ ଦିଗରେ ଦୃଷ୍ଟି ପ୍ରଦାନ କରାଯାଉ ନ ଥିବାରୁ ନିୟମିତ ପ୍ରଶିକ୍ଷଣରେ ବାଧା ଉପୁଜୁଛି, ଯାହା ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଉଛି।
ଢେଙ୍କାନାଳ ମାଟିରେ ଜନ୍ମିତ ଜାତୀୟସ୍ତରୀୟ ବରିଷ୍ଠ କୋଚ ଗିରିଧାରୀ ସାମଲ, ଅମୂଲ୍ୟାନନ୍ଦ ବିହାରୀ, ପ୍ରଦୀପ ଷଡ଼ଙ୍ଗୀ, ବିଶ୍ୱେଶ୍ୱର ମହାପାତ୍ରଙ୍କ ଭଳି ବ୍ୟକ୍ତିତ୍ୱ ହକିକୁ ଗୌରବାନ୍ବିତ କରିଥିବାବେଳେ ଜିଲାରେ ହକିକୁ ପୁନର୍ଜୀବିତ କରାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ନିକଟରେ ଜାତୀୟସ୍ତରୀୟ ମହିଳା ହକି ଖେଳାଳି ଫ୍ଲୋରେନ୍ସିଆ ଏକ୍କାଙ୍କୁ କୋଚ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଜିଲାର ଗଁଦିଆ ବ୍ଲକ ଦେଓଗଁାସ୍ଥିତ କପିଳାସ ଆବାସିକ ମହିଳା ଉଚ୍ଚ ବିଦ୍ୟାଳୟର ମହିଳା କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ୨୦୨୧ ନାଭାଲ ଟାଟା ପକ୍ଷରୁ ହକି ଖେଳାଳିଙ୍କୁ ତୃଣମୂଳସ୍ତରରୁ ପ୍ରୋତ୍ସାହନ ଦିଆଯାଉଛି। ଦିନକୁ ଦିନ ଜିଲାରେ ହକି କ୍ରେଜ୍‌ ବଢୁଥିବାବେଳେ ସ୍ବତନ୍ତ୍ର ପଡ଼ିଆ ନିର୍ମାଣ ପାଇଁ କୋଚ୍‌ ସାଇ ପ୍ରସାଦ ଦଳେଇ, ବାବୁଲା ମହାନ୍ତି ଦାବି କରିଛନ୍ତି।